ନୂଆଦିଲ୍ଲୀ: ଆସାମର ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଆହୁରି ଜଟିଳ ହେବାକୁ ଲାଗିଛି । ଜଣକ ପରେ ଜଣେ ଗିରଫ ହୋଇ ଚାଲିଛନ୍ତି । ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ଆଉ ଦୁଇ ଜଣଙ୍କୁ ଆସାମ ପୋଲିସ ଗିରଫ କରିଛି । ତାଙ୍କର ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କୁ ଗିରଫ କରାଯାଇଛି । ପିଏସଓ ନନ୍ଦେଶ୍ୱର ବୋରା ଏବଂ ପରେଶ ବୈଶ୍ୟଙ୍କୁ ବାରମ୍ବାର ପଚରାଉଚରା କରାଯିବା ପରେ ପ୍ରଥମେ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ କାରବାର ହୋଇଥିଲା, ଯାହା ସନ୍ଦେହ ସୃଷ୍ଟି କରିଛି। ଏହା ପରେ ସେମାନଙ୍କୁ ଗିରଫ କରାଯାଇଛି ।
ଏହି ଗିରଫଦାରୀ ସହିତ, ଗର୍ଗଙ୍କ ମୃତ୍ୟୁ ସହିତ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଉତ୍ତର-ପୂର୍ବ ଭାରତ ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତ, ଜୁବୀନଙ୍କ ସମ୍ପର୍କୀୟ ଭାଇ ତଥା ଡିଏସପି ସନ୍ଦିପନ ଗର୍ଗ, ତାଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ସଂଗୀତଜ୍ଞ ଶେଖରଜ୍ୟୋତି ଗୋସ୍ୱାମୀ ଏବଂ ଗାୟକ ଅମୃତପ୍ରଭା ମହାନ୍ତଙ୍କୁ ଗିରଫ କରାଯାଇଥିଲା ।
ଜୁବୀନ ଗର୍ଗ ସିଙ୍ଗାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେପ୍ଟେମ୍ବର ୧୯ରେ ସ୍କୁବା ଡାଇଭିଂ ବେଳେ ଜୁବୀନଙ୍କ ଅକାଳ ବିୟୋଗ ହୋଇଥିବା ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ସଂଞ୍ଚାଳକ ଶ୍ୟାମକାନୁ ମହାନ୍ତ ସୂଚନା ଦେଇଥିଲେ । ଜୁବୀନ ସ୍କୁବା ଡାଇଭିଂ କରୁଥିବାବେଳେ କୌଣସି ସୁରକ୍ଷା ଗ୍ରହଣ କରିନଥିଲେ ବୋଲି କୁହାଯାଇଥିଲା । ସେପ୍ଟେମ୍ବର ୨୩ରେ ଆସାମର କାମରୁପ ଜିଲ୍ଲାରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିତରେ ତାଙ୍କର ଅନ୍ତିମ କ୍ରିୟା ସମାପନ ହୋଇଥିଲା । ଜୁବୀନଙ୍କର ଦୁଇ ଦୁଇ ଥର ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଥିଲା ।