ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇ ୱିକେଟ ହରାଇ ୩୧୮ ରନ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନର ଖେଳ ଯଶସ୍ୱୀ ଜୟସ୍ୱାଲଙ୍କ ନାଁରେ ରହିଛି। ଜୟସ୍ଵାଲ ଟେଷ୍ଟ କ୍ୟାରିୟରରେ ପଞ୍ଚମ ଥର ପାଇଁ ୧୫୦ ରନ ଅତିକ୍ରମ କରିଥିଲେ। ଏଥିସହ ପ୍ରଥମ ଦିନର ଷ୍ଟମ୍ପ ଅପରସାରଣ ସୁଦ୍ଧା ଜୟସ୍ଵାଲ ୧୭୩ ରନ କରି ଅପରାଜିତ ଅଛନ୍ତି। ଅଧିନାୟକ ଶୁଭମନ ଗିଲ ୨୦ ରନ କରି ବ୍ୟାଟିଂ କରୁଛନ୍ତି।
ଅହମ୍ମଦାବାଦ ଟେଷ୍ଟରେ ଶତକ ହାସଲ କରିତୀବା କେଏଲ ରାହୁଲ ୩୮ ରନ କରି ଆଉଟ ହୋଇଥିଲେ। ଏହା ପରେ ଯଶସ୍ୱୀ ଜୟସ୍ୱାଲ ଏବଂ ସାଇ ସୁଦର୍ଶନ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ନୟାନ୍ତ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ଯୋଡ଼ିରେ ୧୯୩ ରନର ଭାଗୀଦାରି କରିଥିଲେ। ସୁଦର୍ଶନ ୮୭ ରନ କରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ। ଏହା ତାଙ୍କ ପାଞ୍ଚ ମ୍ୟାଚ୍ ଟେଷ୍ଟ କ୍ୟାରିୟରରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା।
ଟିମ୍ ଇଣ୍ଡିଆ ୨୫୧ ରନରେ ଦ୍ୱିତୀୟ ୱିକେଟ ହରାଇଲା। ଜୋମେଲ ୱାରିକାନଙ୍କ ଏକ ବୋଲିଂରେ ସୁଦର୍ଶନ ଆଉଟ୍ ହୋଇଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଜୟସ୍ୱାଲ ଏବଂ ଗିଲ ୬୭ ରନର ଭାଗିଦାରୀ କରି ଅପରାଜିତ ଅଛନ୍ତି।
ଜୟସ୍ୱାଲଙ୍କ ପ୍ରମୁଖ ସଫଳତା
ଯଶସ୍ୱୀ ଜୟସ୍ୱାଲ ନିଜର ଟେଷ୍ଟ କ୍ୟାରିୟରର ୪୮ ତମ ଇନିଂସ ଖେଳୁଛନ୍ତି। ଏହି ଛୋଟ କ୍ୟାରିୟରରେ, ସେ ପାଞ୍ଚ ଥର ଏକ ଇନିଂସରେ ୧୫୦ ରନ ଅତିକ୍ରମ କରିଛନ୍ତି। ଯଦି ସେ ଦ୍ୱିତୀୟ ଦିନରେ ଦ୍ୱିଶତକ ହାସଲ କରିବାରେ ସଫଳ ହୁଅନ୍ତି, ତେବେ ଏହା ତାଙ୍କ ରେଡ-ବଲ୍ କ୍ୟାରିୟରର ତୃତୀୟ ଦ୍ୱିଶତକ ହେବ। ଦ୍ୱିତୀୟ ଥର ଜୟସ୍ୱାଲ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୧୫୦ ରନ ସ୍କୋରରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ବିଶାଖାପାଟଣା ଟେଷ୍ଟର ପ୍ରଥମ ଦିନରେ ସେ ୧୭୯ ରନ କରିଥିଲେ। ୱେଷ୍ଟଇଣ୍ଡିଜ୍ ବୋଲର ଓ୍ଵିକେଟ୍ ନେବା ପାଇଁ ଦିନସାରା ସଂଘର୍ଷ କରିବାକୁ ପଡ଼ିଛି। ଜୋମେଲ ୱାରିକାନ ଉଭୟ ୱିକେଟ ନେଇଛନ୍ତି।