ମୁମ୍ବାଇ: ବି.ଆର୍. ଚୋପ୍ରାଙ୍କ "ମହାଭାରତ"ରେ କର୍ଣ୍ଣ ଭୂମିକାରେ ଘରେ ଘରେ ପରିଚିତ ଅଭିନେତା ପଙ୍କଜ ଧୀରଙ୍କ ଆଜି ମୃତ୍ୟୁ ଘଟିଛି । କର୍କଟ ରୋଗରେ ପୀଡିତ ପଙ୍କଜଙ୍କ ୬୮ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଯେତେବେଳେ ପ୍ରଥମେ ତାଙ୍କୁ କର୍କଟ ରୋଗ ହୋଇଥିଲା ସେ ଏହା ସହିତ ଲଢିଥିଲେ ଏବଂ ସୁସ୍ଥ ମଧ୍ୟ ହୋଇଯାଇଥିଲେ ।
କିନ୍ତୁ, କିଛି ମାସ ପୂର୍ବରୁ ଏହି ରୋଗ ତାଙ୍କ ପାଖରେ ପୁଣି ଦେଖାଦେଇଥିଲା, ଯାହା ତାଙ୍କୁ ଅତ୍ୟନ୍ତ ଅସୁସ୍ଥ କରିଦେଇଥିଲା। ଏହାପରେ ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା। ପଙ୍କଜଙ୍କ ଦେହାନ୍ତ ବି-ଟାଉନ୍ ରେ ଶୋକର ବାତାବରଣ ସୃଷ୍ଟି କରିଦେଇଛି । ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପଙ୍କଜଙ୍କ ବନ୍ଧୁ ଫିରୋଜ ଖାନ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି। ଫିରୋଜ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପଙ୍କଜ ଧୀରଙ୍କ ସହିତ ନିଜର ଏକ ଫଟୋ ସେୟାର କରି ତାଙ୍କୁ ବିଦାୟ ଦେଇଛନ୍ତି। ବଲିଉଡ ଅଭିନେତା ରାଜା ମୁରାଦ ମଧ୍ୟ ପଙ୍କଜ ଧୀରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, କହିଛନ୍ତି ଯେ ସେ କିଛି ସମୟ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଏବଂ କର୍କଟ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ବ୍ୟାପିଯାଇଥିଲା। ତେବେ ପଙ୍କଜ ଧୀରଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୪:୩୦ରେ ପବନ ହଂସରେ ଅନୁଷ୍ଠିତ ହେବ।
ମହାଭାରତ ଦେଇଥିଲା ପରିଚୟ
ପଙ୍କଜ ଧୀର ଚଳଚ୍ଚିତ୍ରରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାମ ଥିଲା ପୁନମ (୧୯୮୧), କିନ୍ତୁ ଏହା ଏକ ସୁପର ଫ୍ଲପ୍ ହୋଇଥିଲା। ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ, ସେ ଆହୁରି ଅନେକ ସ୍ମରଣୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେପରିକି ସୁଖା, ମେରା ସୁହାଗ ଏବଂ ଜୀବନ ଏକ ସଂଘର୍ଷ। କିନ୍ତୁ ଫିଲ୍ମ ଅପେକ୍ଷା ପଙ୍କଜଙ୍କୁ ସଫଳତା ୧୯୮୮ ମସିହା ବି.ଆର. ଚୋପ୍ରାଙ୍କ ମହାଭାରତରେ ମିଳିଥିଲା। ଏହି ଟିଭି ଧାରାବାହିକରେ, ପଙ୍କଜ ସୂର୍ଯ୍ୟଙ୍କ ପୁତ୍ର କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ, ଅଭିନୟ ଏବଂ ଆଚରଣ କର୍ଣ୍ଣଙ୍କ ଚରିତ୍ରକୁ ଲୋକପ୍ରିୟ ପ୍ରିୟ କରିଥିଲା।
ମହାଭାରତ ପରେ, ପଙ୍କଜ ଷ୍ଟାରଡମର ଉଚ୍ଚତାରେ ପହଞ୍ଚିଥିଲେ। ତାଙ୍କୁ ସିନେମା ଏବଂ ଟେଲିଭିଜନ ଉଭୟରୁ ପ୍ରଭାବଶାଳୀ ପ୍ରସ୍ତାବ ମିଳିବା ଆରମ୍ଭ ହୋଇଥିଲା। ତାଙ୍କର କିଛି ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ସନମ ବେୱାଫା, ସଡକ, ଚନ୍ଦ୍ରକାନ୍ତା, ସୋଲଜର, ବାଦଶାହ, ଅନ୍ଦାଜ, ସସୁରାଲ ସିମର କା, ରାଜା କି ଆୟେଗି ବାରତ, ଦେବୋଁ କେ ଦେବ...ମହାଦେବ ଏବଂ ବଢୋ ବହୁ ଅନ୍ତର୍ଭୁକ୍ତ। ପଙ୍କଜ ଧୀରଙ୍କ ପୁଅ ନିକିତାନ ଧୀର ମଧ୍ୟ ଜଣେ ଅଭିନେତା। ସେ ଚେନ୍ନାଇ ଏକ୍ସପ୍ରେସ୍, ସୂର୍ଯ୍ୟବଂଶୀ ଏବଂ ଥଙ୍ଗବଲୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।