ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିବେ ବିବାହିତା ମହିଳା । ସଧବା ନାରୀଙ୍କ ପାଇଁ ଏହି ବ୍ରତ ବେଶ ମହତ୍ୱପୂର୍ଣ୍ଣ ଅଟେ । ସାରା ଜୀବନ ଅଖଣ୍ଡ ସୌଭାଗ୍ୟବତୀ ହେବାକୁ ମହିଳାମାନେ ଏହି ବ୍ରତ କରନ୍ତି । ଜ୍ୟେଷ୍ଠ ମାସ ଅମାବାସ୍ୟ ତିଥିରେ ଏହି ବ୍ରତ ପାଳନ କରାଯାଇଥାଏ । ଓଡ଼ିଶା ବାହାରେ ଏହାକୁ ବଟ ସାବିତ୍ରୀ ମଧ୍ୟ କୁହାଯାଇଥାଏ । କାରଣ ଏହି ବ୍ରତରେ ବଟ ବୃକ୍ଷ ବା ବର ଗଛକୁ ପୂଜା କରାଯାଇଥାଏ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର ଏବଂ ବିଭିନ୍ନ ପ୍ରକାର ଫଳରେ ସାବିତ୍ରୀ ବ୍ରତ କରିଥାନ୍ତି ମହିଳା । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ରୂପୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କ ବ୍ରତ କରାଯାଇଥାଏ ।
ଓଡ଼ିଶାର ପୁରପଲ୍ଲୀରେ ସଧବା ମହିଳାମାନେ ପବିତ୍ର ସାବିତ୍ରୀ ବ୍ରତ ଧାରଣ କରନ୍ତି । ଉପବାସ କରି ବୃନ୍ଦବତୀ ମୂଳେ କିମ୍ବା ବର ଗଛ ମୂଳରେ ପୂଜା କରିଥାନ୍ତି । ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବିଭିନ୍ନ ଦେବାଳୟରେ ମଧ୍ୟ ସାବିତ୍ରୀ ପୂଜା କରାଯାଉଛି ।
ସାବିତ୍ରୀ ବ୍ରତର କାହାଣୀ ସଂକ୍ଷିପ୍ତରେ-
ମଦ୍ରଦେଶର ରାଜା ଅଶ୍ୱପତି ଏବଂ ତାଙ୍କ ରାଣୀ କୌଶଲ୍ୟାଙ୍କର ଦୀର୍ଘ ବର୍ଷ ଯାଏଁ କୌଣସି ସନ୍ତାନ ନ ଥିଲେ । ରାଜା ରାଣୀ ସାବିତ୍ରୀ ଯଜ୍ଞ କରିବା ଦ୍ୱାରା ଏକ କନ୍ୟା ସନ୍ତାନ ଲାଭ କରିଥିଲେ । ଯଜ୍ଞର ନାମ ଅନୁସାରେ କନ୍ୟାର ନାମ ସାବିତ୍ରୀ ରଖିଥିଲେ । ସେହି କନ୍ୟା ଯେତେବେଳେ ବଡ଼ ହୋଇଥିଲା । ଦିନେ ତପୋବନରେ ସାବିତ୍ରୀ ସଖୀଙ୍କ ସଙ୍ଗେ ବୁଲୁଥିବା ସମୟରେ ଋଷି ତପସ୍ୱୀଙ୍କ ଗହଣରେ ସତ୍ୟବାନଙ୍କ ଦେଖିଥିଲ ଏବଂ ତାଙ୍କୁ ସ୍ୱାମୀ ରୂପେ ପାଇବାକୁ ମନରେ ସ୍ଥିର କରିଥିଲେ । ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସାବିତ୍ରୀ ନିଜ ପିତା ଅଶ୍ୱପତିଙ୍କୁ ସତ୍ୟବାନଙ୍କ ବିଷୟରେ ଅବଗତ କରାଇଲେ । କିନ୍ତୁ ସତ୍ୟବାନଙ୍କର ଅଳ୍ପ ଆୟୁଷ ଥିଲା, ସେ ବିବାହର ମାତ୍ର ଏକ ବର୍ଷ ପୂର୍ବରୁ ଦେହ ତ୍ୟାଗ କରିବେ, ଯାହାକୁ ନାରଦ ଜାଣିଥିଲେ । ତେଣୁ ସତ୍ୟବାନଙ୍କୁ ବିବାହ ନ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କନ୍ୟା ସାବିତ୍ରୀ କହିଥିଲେ, ସେ ସତ୍ୟବାନଙ୍କୁ ପତି ରୂପେ ମାନି ସାରିଛନ୍ତି । ତେଣୁ ଅନ୍ୟ କୌଣସି ପୁରୁଷଙ୍କୁ ବିବାହ କରି ପାରିବେ ନାହିଁ । ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତିରେ ବିବାହ ସମ୍ପନ୍ନ ହେଲା ।
କେଉଁ ବର ମାଗିଥିଲେ ସାବିତ୍ରୀ ?
ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ସେ ଦେହ ତ୍ୟାଗ କଲେ । ଯେତେବେଳେ ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସିଥିଲେ, ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ଏହାପରେ ମହାରାଜ ଯମ ନିଜେ ଆସି ମର୍ତ୍ତ୍ୟରେ ଉପସ୍ଥିତ ହେଲେ । ସ୍ୱାମୀଙ୍କୁ ନ ନେବାକୁ ସାବିତ୍ରୀ ଗୁହାରୀ କଲେ । ଯମରାଜା ପତିଭକ୍ତି ଓ ସ୍ତୁତିପାଠରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସର୍ତ୍ତ ରଖିଲେ । ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଦୃଷ୍ଟିହୀନ ଶ୍ୱଶୁରଙ୍କ ଚକ୍ଷୁ, ହରାଇଥିବା ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଯମରାଜ ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁ ପ୍ରଦାନ କରିଥିଲେ ।