ନୂଆଦିଲ୍ଲୀ: ସାମାନ୍ୟ ବେଲୁନ୍ କାହାର ଜୀବନ ନେଇପାରେ ଏହା କଳ୍ପନା ବି କରାଯାଇ ପାରେନା । ସାନ ଭାଇ ପାଇଁ ବଡ଼ ଭଉଣୀ ଅତି ସ୍ନେହରେ ବେଲୁନ୍ ଫୁଙ୍ଖୁଥିବାବେଳେ ତାର ଜୀବନ ଚାଲିଯାଇଛି । ଉତ୍ତରପ୍ରଦେଶ ବୁଲନ୍ଦସହର ପାହାସୁ ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ପାହାସୁ ଅଞ୍ଚଳରେ ଦିଘି ଗ୍ରାମର ଅଶୋକ କୁମାର ଜଣେ ଶ୍ରମିକ ଅଟନ୍ତି । ଘରେ ତାଙ୍କର ପତ୍ନୀ ଏବଂ ଚାରୋଟି ସନ୍ତାନ ଅଛନ୍ତି । ଗତକାଲି ସନ୍ଧ୍ୟାରେ ସବୁଠାର ବଡ଼ ଝିଅ ୧୩ ବର୍ଷୀୟା କୁମକୁମ ସାନ ଭାଇ ତୁଷାର ପାଇଁ ବେଲୁନ ଫୁଙ୍ଖୁଥିବାବେଳେ ଫାଟିଯାଇଥିଲା । ବେଲୁନର ଏକ ରବର୍ ଖଣ୍ଡ ଝିଅଟିର ଶ୍ୱାସନଳୀରେ ଲାଗି ଯାଇଥିଲା । ଫଳରେ ଝିଅଟି ଅଣନିଶ୍ୱାସୀ ହୋଇ ପଡ଼ିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିବାର ସକାଳେ ପରିବାର ମୃତ ଦେହକୁ ଦାହ କରିଛନ୍ତି ।
ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ମନୋଜ କହିଛନ୍ତି ଯେ ଯେତେବେଳେ ତାଙ୍କ ପରିବାର ଝିଅକୁ ତାଙ୍କ ପାଖକୁ ଆଣିଥିଲେ ସେତେବେଳେ ଝିଅଟିର ମୃତ୍ୟୁ ହୋଇସାରିଥିଲା। ବେଲୁନ୍ଗୁଡ଼ିକ ସୂକ୍ଷ୍ମ ରବରରେ ତିଆରି। ବେଲୁନ୍ର ରବରର ଖଣ୍ଡଗୁଡ଼ିକ ଫାଟିବା ସମୟରେ ଏକାଠି ଲାଗି ରହିଥାଏ। ବେଲୁନ୍ର ଖଣ୍ଡଗୁଡ଼ିକ ସମ୍ଭବତଃ ଝିଅଟିର ଶ୍ୱାସନଳୀରେ ଫସି ଯାଇଥିଲା, ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ତା'ର ମୃତ୍ୟୁ ହୋଇଥିଲା।