ଭୁବନେଶ୍ୱର : ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ଦିନକୁ ଦିନ ଓଡ଼ିଶାରେ ବଢୁଛି ପର୍ଯ୍ୟଟକଙ୍କ ସୁଅ। ୫ ବର୍ଷରେ ଓଡ଼ିଶା ଆସିଲେଣି ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ । ଆଜି ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଲିଖିତ ଉତ୍ତର ରଖିଛନ୍ତି।
ଶନିବାର ବିଧାନସଭାର ଶୀତକାଳୀନ ଅଧିବେଶନ ନବମ ଦିନରେ ସୁରୁଖୁରୁରେ ଚାଲିଛି। ଆଜି ପ୍ରଶ୍ନ କାଳରେ ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରଶ୍ନ ରଖିଥିଲେ କି ପର୍ଯ୍ୟଟନ ମନ୍ତ୍ରୀ ଅନୁଗ୍ରହ କରି କହିବେ କି :-ଓଡିଶାକୁ ଗତ ୫ବର୍ଷ ମଧ୍ୟରେ କେତେ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ କେଉଁ କେଉଁ ଦେଶରୁ ଆସିଛନ୍ତି, ଏହାର ଏକ ବର୍ଷୱାରୀ ଓ ଦେଶ ୱାରୀ ତାଲିକା ପ୍ରଦାନ ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ରାଜ୍ୟ ସରକାର କି କି ଯୋଜନା ହାତକୁ ନେଇଛନ୍ତି ଓ ଏ ବାବଦରେ କେତେ ଅର୍ଥ କାହାକୁ ପ୍ରଦାନ କରୁଛନ୍ତି ତାହାର ଏକ ତାଲିକା ପ୍ରଦାନ କରିବାକୁ କହିଥିଲେ।
ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ଯେ ଓଡ଼ିଶା ପର୍ଯ୍ୟଟନ ପ୍ରତି ବଢୁଛି ବିଦେଶୀଙ୍କ ଆଗ୍ରହ। ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ ରେ ଆସିଥିଲେ ୨୨୬୯ ବିଦେଶୀ ପର୍ଯ୍ୟଟକ । ୨୦୨୨ରେ ୨୨ ହଜାର ୧୭୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୩ରେ ୪୫ ହଜାର ୧୭୩ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସର୍ବାଧିକ ୪ ହଜାର ୪୨୩ ଜାପାନ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଦ୍ୱିତୀୟରେ ୩ ହଜାର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ପ୍ରାନ୍ସରୁ ୩୦୦୮ ପର୍ଯ୍ୟଟକ ଆସିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।