ଭୁବନେଶ୍ୱର: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜ୍ୟ ଓ ଅନ୍ୟ ୬ଟି ରାଜ୍ୟରେ ଜମି ରହିଛି । ଓଡିଶାରେ ୬୦,୪୨୬ ଏକର ୯୪୩ ଡିସିମିଲ୍ ପରିମିତ ଜମି ରହିଛି । ସେହିପରି ରାଜ୍ୟରେ ବାହାରେ ୬ ଗୋଟି ପ୍ରଦେଶରେ ମହାପ୍ରଭୁଙ୍କର ଏକର ୩୯୫.୨୫୨ ପରିମିତ ଜମି ରହିଥିବାର ଚିହ୍ନଟ କରାଯାଇଅଛି । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି ।
ବିଧାୟକ ସୁଦର୍ଶନ ହରିପାଲ ପ୍ରଶ୍ନ କରିଥିଲେ ଯେ ମହାପ୍ରଭୁ ଜଗନ୍ନାଥଙ୍କର କେତେ ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି, କେତେ ଜମି ଜବରଦଖଲ ହୋଇଛି, ଜବରଦଖଲ ଜମିକୁ ଫେରାଇ ଆଣିବା ପାଇଁ ଆଇନ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜସ୍ଵ ବିଭାଗ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଶ୍ନ କରିଥିଲେ । ଆଇନମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ ସଂଗୃହିତ ତଥ୍ୟ ଅନୁଯାୟୀ ଓଡିଶା ରାଜ୍ୟ ମଧ୍ୟରେ ୨୪ ଗୋଟି ଜିଲ୍ଲାରେ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତି କରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୬୦,୪୨୬.୯୪୩ ଏକର ପରିମିତ ଜମି ରହିଥିବାର ଚିହ୍ନଟ କରାଯାଇଅଛି । ତନ୍ମଧ୍ୟରୁ ୩୮,୦୬୧.୮୯୨ ଏକର ପରିମିତ ଜମିର ସଂଶୋଧିତ ସ୍ୱତ୍ତ୍ଵଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଅଛି । ସେହିପରି ରାଜ୍ୟ ବାହାରେ ଅନ୍ୟ ୬ ଗୋଟି ପ୍ରଦେଶରେ ମହାପ୍ରଭୁଙ୍କର ୩୯୫.୨୫୨ ଏକର ପରିମିତ ଜମି ରହିଥିବାର ଚିହ୍ନଟ କରାଯାଇଅଛି ।
ମନ୍ତ୍ରୀ କହିଛନ୍ତି ବେଆଇନ୍ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଓଡିଶା ରାଜ୍ୟ ମଧ୍ୟରେ ୭ଗୋଟି ଜିଲ୍ଲାରେ ଥିବା ଉକ୍ତ ୧୬୯.୮୬୧୬୭ ଏକର ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା କରାଯାଇଥିବା ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬-ଏ(୧) ଅନୁଯାୟୀ ୯୭୪ ଗୋଟି ବେଆଇନ ଅବରୋଧ ମୋକଦ୍ଦମା(Encroachment Case) ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଅଛି ବୋଲି ମନ୍ତ୍ରୀ କହିଛନ୍ତି ।