ଭୁବନେଶ୍ୱର: ବିଜେଡ଼ି ଗଡ଼ କବଜା କରିବାକୁ ଯାଉଛି ବିଜେପି । ଦୋହଲିଯାଇଛି ବିଜେଡ଼ିର ସାଙ୍ଗଠନିକ ସ୍ଥିତି । ଦଳୀୟ ନେତାଙ୍କୁ ବାନ୍ଧି ରଖିବାରେ ବିଜେଡ଼ି ବିଫଳ ହୋଇଛି । ଭଦ୍ରକର ଦାୟିତ୍ୱ ନେଇଥିବା ଖୋଦ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଆଜି ବିଜେପିରେ ଯୋଗ ଦେବାକୁ ଯାଉଥିବା ଖବର ମିଳିଛି । ପ୍ରଫୁଲ୍ଲଙ୍କ ବଡ଼ ପୁଅ ପ୍ରୟାସକାନ୍ତି ସାମଲ ଏବଂ ସାନ ପୁଅ ତଥା ଭଣ୍ଡାରିପୋଖରୀ ବିଜେଡ଼ି ବ୍ଲକ୍ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ୪ ବ୍ଲକ୍ ଅଧ୍ୟକ୍ଷ, ୩୦ରୁ ଅଧିକ ସରପଞ୍ଚ, ୩୫ ସମିତି ସଭ୍ୟ, ୧୦୦ରୁ ଅଧିକ ୱାର୍ଡ ମେମ୍ବର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।
ଚଳିତ ବର୍ଷ ମେ ମାସରେ ପ୍ରୟାସକାନ୍ତି ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଚଳିତ ମାସର ମାତ୍ର ଦୁଇ ସପ୍ତାହ ମଧ୍ୟରେ ବିଜେଡ଼ିର ୪ ବ୍ଲକ୍ ଅଧ୍ୟକ୍ଷ, ୫ ଜଣ ସମିତି ସଭ୍ୟ, ୫ ୱାର୍ଡ ସଭ୍ୟ, ବ୍ଲକ୍ ଛାତ୍ର ସଭାପତି, ବ୍ଲକ୍ ଯୁବ ନେତା ସଭାପତି, ଜିଲ୍ଲା ସାଧାରଣ ଦଳରୁ ଜଣକ ପରେ ଜଣେ ଇସ୍ତଫା ଦେଇଛନ୍ତି । ଆଜି ବି ଆଉ ଜଣେ କାଉନସିଲର୍ ଦଳ ଛାଡ଼ିଛନ୍ତି । ସମସ୍ତେ ବିଜେପିରେ ସାମିଲ ହେବେ ।
୪ ବ୍ଲକ୍ ଅଧ୍ୟକ୍ଷ ହେଲେ ବନ୍ତ ବ୍ଲକର ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠି, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ । ସେହିପରି ୫ଜଣ ସମିତିସଭ୍ୟ ହେଲେ ବନ୍ତ ବ୍ଲକର ବିଟିପୁର ସମିତିସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା, ବଡ଼ବର୍ଚ୍ଚିକୟାଁ ସମିତିସଭ୍ୟ ସନ୍ତୋଷ କୁମାର ପହି, ନିଳୋକ ସମିତିସଭ୍ୟ ଉଦ୍ଧବ ଚରଣ ସେଠୀ, ଗଣିଜାଙ୍ଗର ସମିତିସଭ୍ୟ ମନୋରଞ୍ଜନ ସେଠୀ ଓ ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ ଇସ୍ତଫା ଦେଇଛନ୍ତି । ପୌରପାଳିକା ୧ନଂ ୱାର୍ଡର କାଉନସିଲର ଶ୍ରୁତିସ୍ମିତା ଗିରି ସାମିଲ ଅଚନ୍ତି । ସେହିପରି ବନ୍ତ ବ୍ଲକ୍ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ କାଶୀନାଥ ସେଠୀ, ତୋଡଙ୍ଗା ପଞ୍ଚାୟତର ଯୁବ ନେତା ପ୍ରଦୀପ୍ତ ସାମଲ, ଗୋପିନାଥପୁର ଯୁବ ସଭାପତି ବୈକୁଣ୍ଠ ଜେନାଙ୍କ ସହ ଗୋପିନାଥପୁର ପଞ୍ଚାୟତର ୧,୨,୩,୧୪ ଏବଂ ୧୬ନଂ ୱାର୍ଡର ୱାର୍ଡ ସଭ୍ୟମାନେ ମଧ୍ୟ ଦଳ ଛାଡ଼ିଛନ୍ତି ।
ପ୍ରକାଶ ଥାଉକି, ପ୍ରଫୁଲ୍ଲ ସାମଲ ଭଦ୍ରକ ଏବଂ ଭଣ୍ଡାରୀପୋଖରୀରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି । ଉପକୂଳ ଓଡ଼ିଶାରେ ବିଜେଡ଼ି ସାଙ୍ଗଠନିକ ସ୍ଥିତିକୁ ମଜବୁତ କରି ରଖିବାରେ ତାଙ୍କର ବଡ଼ ଅବଦାନ ରହିଛି । କିନ୍ତୁ ତାଙ୍କ ଦୁଇ ପୁଅ ସେହି ଦଳକୁ ଛାଡ଼ିଛନ୍ତି ।