କଟକ: କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସ ପାଖରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।
ବାରବାଟୀ ମ୍ୟାଚ୍ ପାଇଁ ଶାନ୍ତି ଶୃଙ୍ଖଳାର ସହିତ ଟିକେଟ୍ ବିକ୍ରି ଶେଷ ହୋଇଛି । କେଉଁଠୁ ବି ଟିକେଟ୍ କଳା ବଜାରୀର ସୂଚନା ମିଳିନାହିଁ । ଏବେ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି କହିଛନ୍ତି ପୋଲିସ କମିଶନର । ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶକ ଏବଂ ଖେଳାଳୀଙ୍କ ସୁରକ୍ଷାକୁ ନେଇ କମିଶନେରେଟ ପୋଲିସ ସଜାଗ ଅଛି । ଏୟାରଲାଇନ୍ସ ସମସ୍ୟା ପାଇଁ ଗତକାଲି କିଛି ଖେଳାଳି ଭୁବନେଶ୍ୱରରେ ପହଁଚିଛନ୍ତି । ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି କମିଶନର୍ ।
ରାଜ୍ୟ ପୋଲିସ ପୂର୍ବ ସୂଚନା ମୁତାବକ, ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି, ୪୦ ଡିଏସପି, ୬୫ ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ ହାବିଲଦାର/କନଷ୍ଟେବଳ, ୨୦୮ ଏପିଆର କନଷ୍ଟେବଳ, ୭୩ ମହିଳା କନଷ୍ଟେବଳ, ୧ ୟୁନିଟ ଓଡ୍ରାଫ, ୨ ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବାରବାଟୀ ଷ୍ଟାଡିୟମ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀ ମୁତୟନ ହେବେ । ବିମାନବନ୍ଦର,ମ୍ୟାଚ ପାଇଁ ହୋଟେଲ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ଏବଂ ଖେଳାଳିଙ୍କ ଯାତାୟାତ ରସ୍ଥାରେ ଆଦି ସମସ୍ତ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟାଡିୟମ୍ ଭିତରେ ଓ ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ଵରରୁ କଟକ ପର୍ଯ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।