ଭୁବନେଶ୍ୱର: ଦ୍ୱିତୀୟ ଦିନରେ ରାଜଧାନୀ ରାଜରାସ୍ଥାରେ ଶିକ୍ଷକଙ୍କ ଗର୍ଜନ ଶୁଣିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଲୋୟର୍ ପିଏମଜିରେ ଧାରଣାରେ ବସିଛନ୍ତି । ଗୋଟିଏ ପଟେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅପେକ୍ଷା କରିଥିବାବେଳେ ଏପଟେ ଶିକ୍ଷକମାନେ ବିକ୍ଷୋଭ କରୁଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ନ ଦେଇଛନ୍ତି ସେପର୍ଯ୍ୟନ୍ତ ବିଦ୍ୟାଳୟକୁ ଫେରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।
ଗତକାଲିଠାରୁ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାତିସାରା ଶିକ୍ଷକମାନେ ରାଜଧାନୀ ରାସ୍ତାରେ ଶୀତ କାକରରେ ଶୋଇ ରହିଥିଲେ । ପୁଣି ଥରେ ଆଜି ସକାଳୁ ରଣହୁଂକାର ଦେଇଛନ୍ତି । ଗ୍ରେଡ୍ ପେ ବୃଦ୍ଧି, ପଦ ଅପଗ୍ରେଡ୍, ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତି ଉଚ୍ଛେଦ, ମୂଳ ବେତନ ୩୫ ହଜାର ୪୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଦେଶର ସମସ୍ତ ରାଜ୍ୟରେ ଗ୍ରେଡ୍ ପେ ୪୨୦୦ ଟଙ୍କା ହୋଇଥିବାବେଳେ କେବଳ ଓଡ଼ିଶାରେ ୨୨୦୦ ଟଙ୍କା ଗ୍ରେଡ୍ ପେ ପ୍ରଦାନ କରାଯାଉଛି । ସେହିପରି ୨୦୧୭ରୁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ସିଟିରୁ ଯୁକ୍ତ ୨ ସିଟିକୁ ଉନ୍ନୀତ କରାଯାଇଥିଲେ ମଧ୍ୟ ପଦବି ଅପଗ୍ରେଡ୍ କରି ଯୁକ୍ତ ୨ ସିଟି ହାରରରେ ଦରମା ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛି ଶିକ୍ଷକ ମହାସଂଘ ।
ପୂର୍ବ ସରକାର ଶିକ୍ଷକଙ୍କ ସମସ୍ୟା ସମାଧାନ କଲେ ନାହିଁ । କିନ୍ତୁ ଏବେର ମୁଖ୍ୟମନ୍ତ୍ରୀ ପୂର୍ବରୁ ଜଣେ ଶିକ୍ଷକ ଥିବାରୁ ସେ ଶିକ୍ଷକଙ୍କ ସମସ୍ୟା ବୁଝିବେ ବୋଲି ଆନ୍ଦୋଳନରତ ଶିକ୍ଷକମାନେ ଆଶା ରଖିଛନ୍ତି ।