କୋଣାର୍କ : ଶୁକ୍ରବାର କୋଣାର୍କ ଠାରେ ଅନୁଷ୍ଠିତ ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ଉତ୍ସବ।
ଗତକାଲି ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା ।
ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଏବଂ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା। ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ଆତ୍ମନିର୍ଭର ଭାରତ ଏବଂ ମହିଳାମାନଙ୍କ ପାଇଁ ଥିଲା ବିକଶିତ ଭାରତ । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
କୋଣାର୍କ ଉତ୍ସବର ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ହୀରାଲାଲ ନାଗର ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଏବଂ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ I
ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ସୁନ୍ଦର ଭାବରେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ଡକ୍ଟର ସଂଗୀତା ଗୋସାଇଁ ସହଯୋଗ କରିଥିଲେ ।