ଭୁବନେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ଦେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରାଯାଇଛି । ରାଜ୍ୟରେ ଗତ ୫ ବର୍ଷରେ ନିମ୍ନମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ଟି ଏସଏଚଜି ଗ୍ରୁପକୁ କଳା ତାଲିକା ଭୁକ୍ତ କରାଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ବିଧାୟକ ଅମର କୁମାର ନାୟକଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ୨୦୧୯ରୁ ୨୦୨୪ ମଧ୍ୟରେ ଗତ ୫ ବର୍ଷରେ ଅଙ୍ଗନବାଡ଼ିକୁ ନିମ୍ନମାନର ଛତୁଆ ଦେଉଥିବା ୧୫ ଜିଲ୍ଲାର ୩୮ଟି ଏସଏଚଜି ଗ୍ରୁପକୁ କଳା ତାଲିକା ଭୁକ୍ତ କରାଯାଇଛି । ବଲାଙ୍ଗୀରର ୮, ସୋନପୁରର ୬, ନବରଙ୍ଗପୁର ୫, ମାଲକାନଗିରିର ୪, ବରଗଡ଼ର ୩, ମୟୁରଭଞ୍ଜ, ଯାଜପୁର ଏବଂ ନୂଆପଡ଼ାରେ ୨ଟି ଲେଖାଏଁ, ଗଞ୍ଜାମ, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ଭଦ୍ରକରେ ଗୋଟିଏ ଲେଖାଏଁ ଏସଏଚଜି ଗ୍ରୁପ ସାମିଲ ଅଛନ୍ତି । ସେହିପରି ଭଦ୍ରକ ଗୋଟିଏ ଓ ପୁରୀର ୨ଟି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ମୟୁରଭଞ୍ଜର ୫ଟି ଗ୍ରୁପକୁ ଚେତାବନୀ ଦିଆଯାଇଛି ।
ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକମାନ ବଜାୟ ରଖିବା ପାଇଁ ପ୍ରତି ମାସର ୨୩ ତାରିଖରୁ ଛକୁଆ ମିଶ୍ରଣ ଦିବସ ଓ ୧ ତାରିଖକୁ ଛତୁଆ ବିତରଣ ଦିବସ ରୂପେ ସ୍ଥିର କରାଯାଇଛି । ଛତୁଆର ମାନ ସୁନିଶ୍ଚିତ କରିବା ପାଇଁ ଛତୁଆ ପ୍ରସ୍ତୁତି ବେଳେ ସୁପରଭାଇଜର ବ୍ୟତୀତ ଜିଲ୍ଲା ଓ ବ୍ଲକ୍ ସ୍ତରର ବିଭିନ୍ନ ଅଧିକାରୀମାନେ ଛତୁଆ ପ୍ରସ୍ତୁତି ବେଳେ ସୁପରଭାଇଜର ବ୍ୟତୀତ ଜିଲ୍ଲା ଓ ବ୍ଲକ୍ ସ୍ତରର ବିଭିନ୍ନ ଅଧିକାରୀମାନେ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଉପସ୍ଥିତ ରହି ଛତୁଆ ସାମଗ୍ରୀ ମିଶ୍ରଣର ନିରୀକ୍ଷଣ କରିବାର ବ୍ୟବସ୍ଥା ଅଛି । ଏତଦ୍ ବ୍ୟତୀତ ଖାଦ୍ୟର ମାନ ବଜାୟ ରଖିବା ପାଇଁ ଗ୍ରାମସ୍ତରରେ ଯାଞ୍ଚ କମିଟି ଓ ମାତୃ କମିଟି ମଧ୍ୟ ତଦାରଖ କରିବାର ବ୍ୟବସ୍ଥା ରହିଛି । ଛତୁଆର ମାନ ଓ ଗୁଣବତ୍ତା ପରୀକ୍ଷା କରିବା ପାଇଁ ପ୍ରତି ମାସରେ ପ୍ରୋଜେକ୍ଟ ସ୍ତରରୁ ଛତୁଆ ନମୂନାକୁ ରାଜ୍ୟ ଖାଦ୍ୟ ପରୀକ୍ଷଣ ସଂସ୍ଥାନ, ଭୁବନେଶ୍ୱରକୁ ପଠାଯାଉଅଛି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।