ପୁରୀ: ସୋମବାର ସୁନାବେଶରେ ଦର୍ଶନ ପରେ ଦ୍ୱାଦଶ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଛି । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇଥିଲା । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଭାଙ୍ଗିଛନ୍ତି। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ସଂପନ୍ନ ହୋଇଛି ।
ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଛି। ଆଜି ଦ୍ଵାଦଶତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯାଇଛି। ଅଧର ଉଚ୍ଚା ୯ଟି ତୁମ୍ଵାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯାଇଛି ।
କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆସନ୍ତାକାଲି ନିଳାଦ୍ରିବିଜେରେ ଶ୍ରୀମନ୍ଦିର ରତ୍ନବେଦୀକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି ।