ଭୁବନେଶ୍ୱର: ଧରାବତ୍ତରଣ କରିସାରିଛନ୍ତି ଦୁର୍ଗତି ନାଶିନୀ ଦଶଭୁଜା ମା’ ଦୁର୍ଗା । ଚଳଚଞ୍ଚଳ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପ । ସବୁଠି ଚାଲିଛି ମାଙ୍କ ଆରାଧନା । ଚଣ୍ଡୀପାଠ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ଗଗନ ପବନ । ଆଜି ଶକ୍ତି ପୀଠରେ ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଛି । ସେପଟେ ମଣ୍ଡପରେ ମାଙ୍କର ମହାସପ୍ତମୀ ପାଳନ କରାଯାଉଛି ।
ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣ ର ଆଜି ଅନ୍ତିମ ଦିବସ । ମା’ କଟକ ଚଣ୍ଡୀ, ମା’ ସମଲେଇ, ଘଟଗାଁରେ ମା’ ତାରିଣୀ, ଝଙ୍କଡ଼ରେ ମା’ ଶାରଳା, ଯାଜପୁରରେ ମା’ ବିରଜା ଭଳି ଶକ୍ତି ପୀଠଗୁଡ଼ିକରେ ମହାଷ୍ଟମୀ ପୂଜା ବିଧି କରାଯାଉଛି । ମହାଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ସମସ୍ତ ଦେବୀ ମନ୍ଦିର ଗୁଡ଼ିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।
ସେହିପରି ମଣ୍ଡପରେ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦଶଭୂଜା । ମା’ଙ୍କ ଅପୂର୍ବ ମୃଣ୍ମୟୀ ମୂର୍ତ୍ତିକୁ ଥରେ ଦେଖି ଦେଲା ପରେ ଆଖି ଲାଖିଯାଉଛି । କେଉଁଠି ମାଙ୍କ ମୁଣ୍ଡରେ ରୁପା ଓ ସୁନାର ମୁକୁଟ ଝଲସୁଛି ତ ଆଉ କେଉଁଠି ସୁଉଚ୍ଚ ତୋରଣକୁ ଦେଖି ପାଦ ଅଟକି ଯାଉଛି । କଟକଠାରୁ ନେଇ କୋରାପୁଟ ଯାଏ ଚାଲିଛି ମାଙ୍କ ସ୍ୱତନ୍ତ୍ର ପୂଜା ନୀତି ।
ଆଜି ମଧ୍ୟ ନବରାତ୍ରୀ ପୂଜାର ଅଷ୍ଟମ ଦିନ । ଅଷ୍ଟମ ରୂପରେ ମହାଗୌରୀ ରୂପରେ ପୂଜା ପାଉଛନ୍ତି ମା । ମହାଗୌରୀ ଶୁଦ୍ଧତା, ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ। ତାଙ୍କର ଶରୀର ହିମଶୁଭ୍ର, ଶୁଭ୍ରବସନା, ଓ ତାଙ୍କୁ ବୃଷଭବାହିନୀ ବୋଲି ବର୍ଣ୍ଣନା କରାଯାଏ । ମାଙ୍କର ଚାରି ଭୁଜା, ଗୋଟିଏରେ ତ୍ରିଶୂଳ, ଅନ୍ୟଟିରେ ଡମ୍ବରୁ ଓ ଦୁଇଟି ଭୁଜାରେ ଅଭୟ ଓ ବରମୁଦ୍ରା ରହିଥାଏ ।