ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ବେଶରେ ମହାପ୍ରଭୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ। ଏହାସହିତ ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥିବେ। ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥିବେ ଏବଂ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ଥିବେ। ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିଜେ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ଧରି ଦଣ୍ଡାୟମାନ ଥିବେ। ତେଣୁ ଏହି ପର୍ବକୁ ନେଇ ନୀଳାଦ୍ରି ମ୍ୟୁଜିୟମ୍ରେ ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି ।
ସୂଚନା ଅନୁସାରେ , ଆସନ୍ତା ୨୪ ତାରିଖରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ। ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ବେଶରେ ପୂଜା ପାଇବେ। ଏଥିପାଇଁ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍ରେ ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି। କୁଶଳୀ କାରିଗରଙ୍କ ଦ୍ୱାରା ଶ୍ରୀବିଗ୍ରହଙ୍କ ମୁକୁଟ ଏବଂ ଅଳଙ୍କାର ସବୁ ନିର୍ମାଣ ଚାଲିଛି । ଦୟଣା ମାଳି ସେବକଙ୍କ ତତ୍ତ୍ୱାବଧାନରେ ୫ ଜଣ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି। ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ବେଶରେ ଥାଇ ଠାକୁରଙ୍କୁ ସନ୍ଧ୍ୟାଧୂପରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ। ତେବେ କିମ୍ବଦନ୍ତୀ ଅନୁସାରେ, ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା । କ୍ଷତବିକ୍ଷତ ଅବସ୍ଥାରେ ଗଜରାଜ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଠାକୁରେ ଭକ୍ତର ଡାକଶୁଣି କୁମ୍ଭୀର କବଳରୁ ଗଜରାଜକୁ ଉଦ୍ଧାର କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ଗଜୋଦ୍ଧାରଣ ବେଶରେ ଦେଖି ଭକ୍ତମାନେ ଧନ୍ୟ ହେବେ। ତେବେ ଏହି ପର୍ବରେ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିବ। ତେଣୁ ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।