ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନ ଚାପ ଯାତ୍ରା ଅନୁଷ୍ଠିତ ହେବ । ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଚାପ ଅନୁଷ୍ଠିତ ହେବ ।
ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ବଳରାମ, ଶ୍ରୀଦେବୀ ଓ ଭୂଦେବୀ ଏବଂ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ଜଳକ୍ରୀଡ଼ା କରନ୍ତି । ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ । ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ବିରାଜମାନ କରନ୍ତି । ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ମାନେ ଚାପ ଖେଳାନ୍ତି ।
ବାଣ ନିଷେଧ
ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି । ବାଣ ଫୁଟାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତୀକ ସିଂହ କଡ଼ା ଚେତାବନୀ ଦେଇଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବାଣ ଫୁଟାଯିବ ନାହିଁ । ଏହି ପବିତ୍ର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣଠାରୁ ଆରମ୍ଭ ସୁରକ୍ଷା ଉପରେ ପୋଲିସ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ସିସିଟିଭି ନଜରରେ ରହିବ । ଜଣେ ଅତିରିକ୍ତ ଏସ୍ପି, ୫ ଡିଏସ୍ପି, ୮ ଇନ୍ସପେକ୍ଟର, ୨୦ ଏଏସ୍ଆଇ ଓ ଏସ୍ଆଇ ଏବଂ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ ।