ଚାଲିଛି ଫଗୁ ଉତ୍ସବ । ରଙ୍ଗର ପର୍ବରେ ଜମୁଛି ଗାଁ ଗାଁ ରେ ଲଉଡି ଖେଳ । ଭାଇଚାରାର ପର୍ବ ପାଳୁଛନ୍ତି ଗୋପାଳ ସମ୍ପ୍ରଦାୟ । ଫଗୁ ଉତ୍ସବ ଅବସରରେ ଲଉଡ଼ିଖେଳରେ ମଜ୍ଜି ଯାଇଛନ୍ତି ଗୋପାଳ ସମ୍ପ୍ରଦାୟ । ରଙ୍ଗର ପର୍ବ ହୋଲିକୁ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି । ଫଗୁ ଉତ୍ସବକୁ ନିଆରା କରିବା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ଫଗୁ ଖେଳ ପାଇଁ ଖେଳିଯାଏ ଖୁସିର ବାତାବରଣ ।
ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ଅଧିକ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । ରଙ୍ଗ ଖେଳିବା ସହ ସମ୍ପର୍କର ଡୋରି ମଜବୁତ କରିଛନ୍ତି ଭାରତ ବାସୀ । ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ସାରା ପରିବେଶକୁ ରଙ୍ଗମୟ କରିଦେଇଛନ୍ତି ।
ବର୍ତ୍ତମାନ ଆଧୁନିକତାର ସ୍ପର୍ଶ ସତ୍ତ୍ୱେ ମଧ୍ୟ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ଆମ ସଂସ୍କୃତି ଓ ପରମ୍ପରାର କିଛି ନିଆରା ଦୃଶ୍ୟ । ଆଜି ବି ମଉଳି ଯାଇନି ଗାଁର ପୂରାତନ ପରମ୍ପରା । ଏବେବି ଯାଦବ ସମ୍ପ୍ରଦାୟର ପାରମ୍ପରିକ ଲୋକନୃତ୍ୟ ଲଉଡ଼ିଖେଳ ଅତି ଆନନ୍ଦର ସହିତ ଖେଳୁଥିବାର ଦେଖିବାକୁ ମିଳୁଛି । ଫଗୁଣ ମାସ ଆସିଲାମାତ୍ରେ ସମସ୍ତେ ଲାଗିପଡ଼ନ୍ତି ରାଧାକୃଷ୍ଣ ଙ୍କ ସହ ହୋଲି ଖେଳିବାକୁ । ସେହି ପରିବେଶକୁ ଦେଖି ଲାଗେ ସତେ ଯେପରି ସ୍ୱୟଂ ରାଧାମୋହନ ଫଗୁଖେଳିବାକୁ ଧରାପୃଷ୍ଠରେ ଅବତାରଣା କରିଛନ୍ତି ।
ରାଧାକୃଷ୍ଣ ବେଶରେ ପିଲାମାନେ ସଜେଇ ହୁଅନ୍ତି, ଆଉ ଗୋପାଳ ପରିବାର ଲୋକେ ବାହାରିପଡନ୍ତି ଲଉଡ଼ି ଖେଳକୁ। କୁନି କୁନି ପିଲାଙ୍କ ସେ ଅପୂର୍ବ ଲଉଡି ଖେଳର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଘଣ୍ଟେ ରହିଯିବେ ଏହି ଲଉଡ଼ି ଖେଳକୁ ଦେଖିବା ଲାଗି।ଗାଁ ର ପ୍ରତ୍ୟକ ଯାଦବ ସମ୍ପ୍ରଦାୟ ର ପିଲା ଠୁଁ ବୁଢା ଯାଏ ନିଜକୁ ହଜେଇ ଦିଅନ୍ତି ଏହି ଲଉଡ଼ି ଖେଳରେ। ଏହି ଦିନ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଧାଇଁ ଆସନ୍ତି ନିଜ ଗାଁ ମାଟିକୁ।ରଙ୍ଗବେରଙ୍ଗ ଫଗୁରେ ରଙ୍ଗାୟିତ ହୋଇ ଉଠେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନ । ହଜାର ହଜାର ରାଧା କୃଷ୍ଣ ପ୍ରେମୀ ଏକାଠି ହୋଇ ଦେଖନ୍ତି ଏହି କାର୍ଯ୍ୟକ୍ରମ । ସମସ୍ତଙ୍କ ମନ ମୋହିଥାଏ ଏହି ଲଉଡ଼ି ଖେଳ ।
ଅଧିକ ପଢନ୍ତୁ :ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ