କରୋନା କଟକଣା: ଶ୍ରୀମନ୍ଦିରରେ ଫର୍ମ ପୂରଣ କରି ଦର୍ଶନ କରିବେ ଭକ୍ତ, ଅରୁଣ ଓ ଗରୁଡ଼ ସ୍ତମ୍ଭ ଛୁଇଁବା ମନା
Khabar Odisha:State-Odisha-strict-rules-imposition-in-srimandir-as-prevention-for-coronavirus
ପୁରୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା):

କରୋନା ମୁକାବିଲା ପାଇଁ ପୁରୀ ଶ୍ରୀମନ୍ଦିରରେ କଟକଣା ।  ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସୁରକ୍ଷିତ ପୂଜା ଏବଂ ଦର୍ଶନ ବ୍ୟବସ୍ଥା ସହ କରୋନା ସଂକ୍ରମଣ ରୋକିବା ପାଇଁ  ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିତରେ କାଠ ଦର୍ଶନ ମନା ।

କରୋନା ସଂକ୍ରମଣ ମୁକାବିଲା ପାଇଁ ଶ୍ରୀମନ୍ଦିରରେ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା କରାଯାଇଛି । ଧାଡି ମାଧ୍ୟମରେ ଭିତର କାଠ ନିକଟରୁ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଶ୍ରୀମନ୍ଦିରରେ ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ତଥା କୌଣସି ଦେବାଦେବୀ, ବାହନଙ୍କ ମୂର୍ତ୍ତି କିମ୍ବା ଅନ୍ୟବସ୍ତୁକୁ ଛୁଇଁବା ଉପରେ କଟକଣା ଲାଗିଛି ।  ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନସମାଗମ, ଆନନ୍ଦ ବଜାରରେ ବସି ଖାଇବା ଓ ଭୋଜନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ , ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀମନ୍ଦିର ମଧ୍ୟରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।  ସେହିପରି ଶ୍ରୀମନ୍ଦିରରେ ପୂଜା ସମୟରେ ସେବାୟତ ମାସ୍କ ପିନ୍ଧିବେ । ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ନିଜ ସମ୍ପର୍କରେ ସୂଚନା ଦେବେ । କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଆଜି ଏହି ସବୁ ନିଷ୍ପତି ହୋଇଛି ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ  ଏସପି, ପ୍ରାଶାସନିକ ଅଧିକାରୀ,  ନୀତି ପ୍ରଶାସକ ଓ ସେବାୟତମାନେ ଉପସ୍ଥିତ ଥିଲେ । ନୀତିକାନ୍ତି, ସେବାପୂଜା ଓ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି । 

ସାରା ବିଶ୍ୱକୁ ଆତଙ୍କିତ କରିଛି କରୋନା ଭାଇରସ । ଭାରତରେ ମଧ୍ୟ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୭ଜଣ ବ୍ୟକ୍ତି କରୋନାରେ ଆକାନ୍ତ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି । କରୋନା ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

  • Tags:

Subscribe

National International State Sports Entertainment