ନାଇଡୁଙ୍କୁ ଭେଟିବା ପରେ ଦେବେଗୌଡ଼ାଙ୍କ ଅପିଲ, ଏନଡିଏକୁ କ୍ଷମତାଚ୍ୟୁତ କରିବା ପାଇଁ ଏକାଠି ହୁଅନ୍ତୁ ସେକ୍ୟୁଲାର ପାର୍ଟି
Khabar Odisha:devegowdas-appeal-after-meeting-chandrababu-naidu-secular-parties-should-unite-to-defeat-nda
ବେଙ୍ଗାଲୁରୁ,ନଭେମ୍ବର୦୮(ଖବର ଓଡ଼ିଶା):

୨୦୧୯ ସାଧାରଣ ନିର୍ବାଚନ ପାଇଁ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କୁ ଏକଜୁଟ୍ କରିବାକୁ ପ୍ରୟାସରେ ଜୁଟିଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ  ଉପସ୍ଥିତ ଥିଲେ। ଦୁଇ ନେତାଙ୍କ ମଧ୍ୟରେ ଭେଟ ପରେ ଦେବେଗୌଡ଼ା କହିଛନ୍ତି ଯେ ଏନଡିଏ ସରକାର ଅମଳରେ ସାମ୍ବିଧାନିକ ସଂସ୍ଥା ଏବେ ବିପଦରେ। ତେଣୁ ବିଜେପି ବିରୋଧରେ ସମସ୍ତ ଧର୍ମନିରପେକ୍ଷ ଦଳକୁ ଏକଜୁଟ୍ ହେବାର ଆବଶ୍ୟକତା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୭ଟି ରାଜ୍ୟରେ କଂଗ୍ରେସ ବିଜେପିଠୁ ପରାଜିତ ହୋଇଥିଲେ ମଧ୍ୟ ଆଗାମୀ ବିଧାନସଭାରେ ଦଳ ଭଲ ପ୍ରଦର୍ଶନ କରିବ। କଂଗ୍ରେସ ନାଇଡୁଙ୍କ ଏହି ପ୍ରୟାସରେ ସାହାଯ୍ୟ  କରନ୍ତୁ ବୋଲି ଦେବେଗୌଡ଼ା କହିଛନ୍ତି। 

କର୍ଣ୍ଣାଟକ ଉପନିର୍ବାଚନରେ ଜେଡିଏସ ଓ କଂଗ୍ରେସ ମେଣ୍ଟ ବିଜେପିକୁ ହରାଇବା ପରେ ଗୁରୁବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟିର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କୁ ଭେଟିଛନ୍ତି। ଏହି ଭେଟ ପରେ ଦେବେଗୌଡ଼ା ଏନଡିଏ ସରକାରଙ୍କ ନୀତିକୁ  ଭୁଲ ଦର୍ଶାଇ କହିଛନ୍ତି ଯେ ନାଇଡୁ ସେକ୍ୟୁଲାର ପାର୍ଟିକୁ ଏକଜୁଟ୍ କରିବା ଏବଂ ଏନଡିଏକୁ କ୍ଷମତାରୁ ହଟାଇବା ପାଇଁ ପ୍ରୟାସ ଚଳାଇଛନ୍ତି। ତେଣୁ ସମସ୍ତ ସେକ୍ୟୁଲାର ଦଳକୁ ଏନଡିଏ ବିରୋଧରେ ଏକଜୁଟ୍ ହେବାକୁ ପଡ଼ିବ ଏବଂ ଖାସ୍ କରି କଂଗ୍ରେସକୁ ଏଥିରେ ସହଯୋଗ କରିବାକୁ ପଡିବ। କାରଣ ଏହା କଂଗ୍ରେସର ଦାୟିତ୍ଵ।

ଚନ୍ଦ୍ରବାବୁ ନାଇଡୁ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ମୁଁ ଏହି ମହାନ କାମ ପାଇଁ ସମର୍ଥନ ମାଗିବାକୁ ଆସିଥିଲି। ଦେଶକୁ ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ ବୋଲି ନାଇଡୁ କହିଛନ୍ତି। ଦେଶରେ ସିବିଆଇ ଏବେ ମୁସ୍କିଲରେ ରହିଛି। ଆରବିଆଇ ଉପରେ କେନ୍ଦ୍ର ସରକାର ହମଲା କରୁଛନ୍ତି। ଇଡି, ଇନକମ ଟ୍ୟାକ୍ସର ବ୍ୟବହାର ବିରୋଧୀଙ୍କୁ ଆକ୍ରମଣ କରିବା ପାଇଁ କରାଯାଉଛି। ଦେଶର ସାମ୍ବିଧାନିକ ସଂସ୍ଥା ଏବେ ବିପଦରେ ପଡ଼ିଥିବା ନାଇଡୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ବିରୋଧୀ ଦଳକୁ ଏକଜୁଟ୍ କରିବା ପ୍ରୟାସରେ ଜୁଟିଥିବା ନାଇଡୁ ବିଗତ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ମାୟାବତୀ ଓ ଶରଦ ପଓ୍ଵାରଙ୍କ ଭଳି ରାଜନେତାଙ୍କୁ ଭେଟିଛନ୍ତି। 

Subscribe

National International State Sports Entertainment