ଜନ୍ମଦିନରେ ବିରାଟଙ୍କ 'ବିରାଟ' କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ନିଜର ୩୫ତମ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇପାରିଛନ୍ତି ବିରାଟ। ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ ଆଜି ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି । ଏହି ସଫଳତା ସହ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଦିନିକିଆ ଶତକ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି ବିରାଟ କୋହଲି।
ଜନ୍ମଦିନ ଅବସରରେ ଆଜି ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଯାଇଛନ୍ତି। ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଚଳିତ ବିଶ୍ୱକପରେ ବିରାଟଙ୍କ ଏହା ଦ୍ୱିତୀୟ ଶତକ । ପୂର୍ବରୁ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଅପରାଜିତ ୧୦୩ ରନ୍ କରିଥିଲେ ।
ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ରନ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ସେପଟେ ବିରାଟଙ୍କ ଏହି ରେକର୍ଡ ପରେ ସଚିନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ସାଇଟ୍ Xରେ ସଚିନ ଲେଖିଛନ୍ତି, "ବହୁତ ଭଲ ଖେଳିଲ ବିରାଟ । ୪୯ରୁ ୫୦ ବର୍ଷରେ ପହଞ୍ଚିବା ଲାଗି ମୋତେ ୩୬୫ ଦିନ ଲାଗି ଯାଇଥିଲା । ଆଶା କରୁଛି ଆସନ୍ତା କିଛି ଦିନ ମଧ୍ୟରେ ତୁମେ ୪୯ରୁ ୫୦ ପର୍ଯ୍ୟନ୍ତ ପହଞ୍ଚିଯିବ ଆଉ ମୋ ରେକର୍ଡକୁ ଭାଙ୍ଗି ଦେବ"।
ବିରାଟଙ୍କ ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୈଦାନରେ କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଧୂଆଁଧାର ବ୍ୟାଟିଂ କରି ଚଉକା ଛକ୍କାର ବର୍ଷା କରିଥିଲେ । ୧୦ ଓଭରରେ ଟିମ ଇଣ୍ଡିଆର ସ୍କୋର ୯୦ ରନ ପାର୍ କରିସାରିଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଶତକୀୟ ପାର୍ଟନରସିପ୍ କରି ଭାରତକୁ ବଡ ସ୍କୋର ଆଡକୁ ନେବାରେ ସହାୟକ ହୋଇଥିଲେ ।
ଅନ୍ୟପଟେ ଶ୍ରେୟସ ଆୟର ୭୭ ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ଆଉଟ ହୋଇଥିଲେ । ତେବେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୬ ରନରେ ଡି କକ୍ଙ୍କ ୱିକେଟ ହରାଇ ବିପର୍ଯ୍ୟର ସାମ୍ନା କରିଛି ସାଉଥ ଆଫ୍ରିକା । ମାତ୍ର ୮୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି ସାଉଥ ଆଫ୍ରିକା । ବୃହତ ବିଜୟ ସହ ଭାରତ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି । ସଶକ୍ତ ସାଉଥ ଆଫ୍ରିକାକୁ ଅତି ଦୟନୀୟ ଭାବେ ପରାସ୍ତ କରି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ଭାରତ ।
ଅଧିକ ପଢ଼ନ୍ତୁ : ବିଶ୍ୱକପରୁ ବାଦ ପଡିବା ପରେ ହାର୍ଦିକ ଲେଖିଲେ ମନର କଥା