ଭାରତ ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ଶେଷ ହୋଇଛି ଯେଉଁଥିରେ ୱେଷ୍ଟଇଣ୍ଡିଜ ୬ୱିକେଟ୍ ରେ ବାଜି ମାରିଛି । ୱେଷ୍ଟଇଣ୍ଡିଜ ଅଧିନାୟକ ଶାୟ ହୋପ ସର୍ବାଧିକ ୬୩ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ଶାୟ ହୋପ ଅପରାଜିତ ରହି ନିଜ ଟିମକୁ ଜିତିବାରେ ସାହାଯ୍ୟ କରିଥିଲେ ଏବଂ ୱେଷ୍ଟଇଣ୍ଡିଆନ ବୋଲରଙ୍କ ଚମତ୍କାର ବୋଲିଂ ଭାରତକୁ ୧୮୧ ରନରେ ସୀମିତ ରଖିଥିଲା ।
ଭାରତର ରଚନାତ୍ମକ ରଣନୀତି ଭାରତ ଉପରେ ଭାରିପଡିଛି । ପ୍ରଥମ ମ୍ୟାଚରେ ଭାରତର ସହଜ ବିଜୟ ପରେ ୨ୟ ମ୍ୟାଚରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦେବା ଏବଂ ୱେଷ୍ଟଇଣ୍ଡିଜକୁ ଦୁର୍ବଳ ଭାବିବା ଭୁଲ ଭାରତ ଉପରେ ଭାରି ପଡିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଭୂମିକା ଗ୍ରହଣ କରିଥିଲେ । ପରେ ଟସ ଜିତି ବ୍ୟାଟିଂର ନିର୍ଣ୍ଣୟ ନେଇଥିଲେ । ରୋହିତ ଏବଂ ବିରାଟଙ୍କ ବଦଳରେ ସଂଜୁ ସାମସନ ଏବଂ ଅକ୍ସର ପଟେଲ ଟିମରେ ସ୍ଥାନ ପାଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିଷାନ ୫୫ ରନ କରିଥିବା ବେଳେ ଶୁଭମନ ଗିଲ ୩୪ ରନ କରି ୱିକେଟ୍ ହରାଇଥିଲେ । ଓପେନିଙ୍ଗରେ ଭଲ ଆରମ୍ଭ ସତ୍ୱେ ଭାରତୀୟ ଦଳ ୧୮୨ ରନ କରି ଅଲ ଆଉଟ ହୋଇଯାଇଥିଲା ।
ଦ୍ଵିତୀୟ ଇନିଂସରେ ୱେଷ୍ଟଇଣ୍ଡିଜର ଅଧିନାୟକ ଶାୟ ହୋପ ଏବଂ କେସି କାର୍ଟି ଅପରାଜିତ ରହି ମ୍ୟାଚକୁ ଭାରତ ହାତରୁ ଛଡାଇନେଇଥିଲେ । ଭାରତୀୟ ଦଳର ଖରାପ ବୋଲିଂ ସତ୍ୱେ ସାରଦୁଲ ଠାକୁର ୨ଟି ଏବଂ ହାର୍ଦିକ ପାଣ୍ଡ୍ୟା ଓ ଉମରାନ ମଲ୍ଲିକ ଗୋଟିଏ ଗୋଟିଏ ୱିକେଟ୍ ନେଇଥିଲେ ।
ହେଲେ କ୍ରୀଡା ସମୀକ୍ଷକ ଭାରତୀୟ ଦଳର ଏଭଳି ଚିନ୍ତାଧାରାକୁ ନେଇ ବେଶ କ୍ଷୋବ ପ୍ରକାଶ କରିଛନ୍ତି । କାରଣ ୫୦ ଓଭର ବିଶ୍ୱକପ୍ କୁ ଆଉ କମ ସମୟ ବାକି ରହିଲା । ଆଉ ଏହି ସିରିଜ ଭାରତର ଶେଷ ଦିନିକିଆ ସିରିଜ । ଆଉ ସବୁଠୁ ବଡ କଥା ହେଲା ଏପର୍ଯ୍ୟନ୍ତ ଟିମରେ କିଏ କିଏ ଖେଳିବେ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ହେଲେ ଭାରତୀୟ ଦଳ ଏକ୍ସପେରିମେଣ୍ଟ କରିବାରେ ଲାଗିଛି ଆଉ ଏହିରେ ବିଫଳ ମଧ୍ୟ ହୋଇଛି । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଋଷବ ପନ୍ତ ୱିକେଟ୍ କିପିଙ୍ଗ ଭାର ନେଇଥଲେ କିନ୍ତୁ ଋଷବ ପନ୍ତ ଦୀର୍ଘ ଦିନ ଅସୁସ୍ଥ ଥିବାରୁ ବିଶ୍ୱକପ୍ ପାଇଁ ଫିଟ ହେବେ ନା ନାଇଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ୱିକେଟ୍ କିପିଙ୍ଗ ପାଇଁ ସ୍ପଷ୍ଟୀକରଣ ମିଳିନଥିବା ବେଳେ ଭାରତୀୟ ଦଳର ପ୍ରଦର୍ଶନ କ୍ରୀଡା ସମୀକ୍ଷକଙ୍କ ମନରେ ଆଘାତ ଦେଇଛି ।