ବିଦ୍ୟୁତ ଆଘାତରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ତେବେ ଏହି ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଗୁବାଙ୍ଗରେ ଘଟିଛି। ତେବେ ମୃତ ବ୍ୟକ୍ତି ଜଣଙ୍କ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥ ସାହିର ତ୍ରିପାତି ପଟ୍ଟନାୟକ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଗୁବାଙ୍ଗ ପଞ୍ଚାୟତର ସଦରରେ ସୋଲାର ପାଣି ଟାଙ୍କି ମରାମତି କାର୍ଯ୍ୟରେ ଡ୍ରାଇଭର ଭାବରେ ତ୍ରିପାତି ପଟ୍ଟନାୟକ ଯାଇଥିଲେ। ସେହିଠାରେ ସୋଲାର କାର୍ଯ୍ୟ କରୁଥିବା ବେଳେ ଏକ ପାଇପ ଉଠାଇବା ସମୟରେ ୧୧କେଭି ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି।