ଅଗ୍ନିକାଣ୍ଡରେ ଜଳିଗଲା ୩୬ ବଖରା ଘର । ଏହି ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବ ସହ ଗାଈ,ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରିକି ଘରର ଅସବାବପତ୍ର ମଧ୍ୟ ଜଳିଯାଇଛି । ଘରେ ନିଆଁ ଲାଗିଯିବାରୁ ୩୬ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ପଞ୍ଚାୟତର କାଶୀପୁର ଗାଁ ଓ କାଳୀଗଦି ଗ୍ରାମରେ ରବିବାର କାଳବୈଶାଖି ହୋଇଥିଲା। ସେହି ସମୟରେ କାଶୀପୁର ଗାଁର ଘର ଲୋକେ ବିଲରେ ଥିଲେ । ବିଲାକମା ସାରି ଘରକୁ ଫେରିଲା ବେଳକୁ ଘରେ ନିଆଁ ଲାଗି ସବୁ କିଛି ଜଳିଯାଇଥିଲା । ୧୬ ବଖରା ଘର ସହିତ ସମସ୍ତ ଜିନିଶ ପତ୍ର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ସେହିଭଳି କାଳୀଗଦି ଗାଁର ଜଣେ ଚାଷୀ ବିଲରେ ଥିଲାବେଳେ ତାଙ୍କରବି ଘର ପୋଡ଼ି ଯାଇଛି। ତାଙ୍କ ୨୦ ବଖରା ଘର ସହ ଏକାଧିକ ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବଜ୍ରପାତ କାରଣରୁ ଏଭଳି ହୋଇଛି ବୋଲି ଅନୁମାନ କରାଯାଉଛି । ଘରର ସବୁକିଛି ଜଳିଯାଇଥିବାରୁ ପରିବାର ଲୋଇ ଚିନ୍ତାରେ ପଡିଯାଇଛନ୍ତି । ଏଥିସହ ଦୁଇ ପରିବାର ସାହାଯ୍ୟ ଲୋଡିଛନ୍ତି ।