ହକି ବିଶ୍ୱକପ 2023 ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ | ଆସନ୍ତା ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଏଥିପାଇଁ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଏୟାରପୋର୍ଟ ଅଥରିଟି । ହକି ବିଶ୍ୱକପ ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ 50 ପ୍ଲାଟୁନ୍ ପୋଲିସ ଫୋର୍ସ । କେବଳ ବିମାନବନ୍ଦରରେ 4 ତାରିଖରୁ ମୁତୟନ ହେବେ 2 ପ୍ଲାଟୁନ୍ ଫୋର୍ସ। ଭୁବନେଶ୍ୱର ଏୟାରପୋର୍ଟ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିସିପି ।
ବିମାନବନ୍ଦରରେ ଆସନ୍ତା 3 ତାରିଖରୁ ପୁଲିସ ଫୋର୍ସ ମୁତୟନ ରହିବେ। ତେବେ ବିମାନବନ୍ଦରରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଜଣେ ଡିସିପି ଏୟାରପୋର୍ଟ ଚାର୍ଯ୍ୟରେ ରହିବେ। ଡିସିପିଙ୍କ ଅଣ୍ଡରରେ 4ଜଣ ଏସିପି ଓ 4 ଜଣ ଇନ୍ସପେକ୍ଟର, 16 ଜଣ ସବ୍ ଇନ୍ସପେକ୍ଟର ଓ 2 ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ବିଶ୍ୱକପ୍ ହକି ପୂର୍ବରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ସମୀକ୍ଷା ବୈଠକ କରିଥିଲେ ଡିସିପି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିସିପି କହିଛନ୍ତି ଯେ , ଆସନ୍ତା ୪ ତାରିଖରୁ ଖେଳାଳି, କୋଚ୍ ଓ ଟେକନିକାଲ ଷ୍ଟାଫ୍ ଭୁବନେଶ୍ୱରରେ ପହଞ୍ଚିବେ। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନେ କିପରି ସହଜରେ ହୋଟେଲ ଓ ଷ୍ଟାଡିୟମରେ ପହଞ୍ଚି ପାରିବେ ଓ ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ଏକ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଖେଳାଳିମାନେ କେଉଁ ଗେଟ୍ରେ ବିମାନବନ୍ଦରରୁ ବାହାରିବେ, ସେମାନଙ୍କ ବସ୍ ବିମାନବନ୍ଦରରେ କେଉଁଠି ଲାଗିବ ଓ ଖେଳାଳିମାନେ ନିରାପଦ ଭାବରେ କିପରି ଯିବା ଆସିବେ କରିବେ ସେନେଇ ଆଲୋଚନା ହୋଇଥିଲା। ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ । ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯିବ ବୋଲି ଡିସିପି କହିଛନ୍ତି ।