ଆଜି ବି କଲବଲ କରିଛି ତାତି। ସୂର୍ଯ୍ୟଙ୍କ ତାପରେ ଜଳୁଛି ପୁରା ଓଡ଼ିଶା। ଉପକୂଳରୁ ଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ଆକାଶରୁ ନିଆଁବର୍ଷା ଝରୁଛି। ଆଜି ୧୨ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ବା ତା’ ଠାରୁ ଉପରେ ରେକର୍ଡ କରାଯାଇଛି। ସେହିପରି ୨୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ପାରଦ ୪୪.୩ ଡିଗ୍ରୀ ଆଜି ରାଜ୍ଯର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଅନୁଗୋଳ।
ସେହିପରି ବୌଦ୍ଧରେ ଆଜି ତାପମାତ୍ରା ୪୪.୧ ଡିଗ୍ରୀ, ବାରିପଦାରେ ୪୪, ନୟାଗଡ଼ ଓ କଟକରେ ୪୩.୭ଡିଗ୍ରୀ, ଢେଙ୍କାନାଳରେ ୪୩.୬, ତାଳଚେର, ଟିଟିଲାଗଡ଼ ଏବଂ ମାଲକାନଗିରିରେ ୪୩.୫, ବଲାଙ୍ଗିରରେ ୪୩.୩, ରାଜଧାନୀ ଭୁବନେଶ୍ୱରରେ ୪୩.୨, ଭବାନୀପାଟଣାରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି।
ଆସନ୍ତାକାଲିଠାରୁ ଗ୍ରୀଷ୍ମପ୍ରବାହ ଆହୁରି ଭୟଙ୍କର ହେବ। ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟୱେଭ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବାର ମଧ୍ୟ ଆଶଙ୍କା ରହିଛି। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର କୌଣସି ସମ୍ଭାବନା ନାହିଁ।