କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ। ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନରେ ଚିକିତ୍ସା ପାଇଁ ପଠାଯାଇଛି। ତେବେ ମୃତକ ବ୍ୟକ୍ତି ଜଣଙ୍କ କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ଲକ୍ଷ୍ମୀଧର ଦାସ ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣା ପରେ ଅଲି ଅଞ୍ଚଳରେ ଦୁଃଖର ବାତାବରଣ ଛାଇ ଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ରବିବାର ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା। ପରେପରେ ବର୍ଷା, କୁଆପଥର ମାଡ଼ ଓ ଘନଘନ ବଜ୍ରପାତ ହୋଇଥିଲା। ମୁଗବିଲରେ କାମ କରୁଥିବା ଆଳିଥାନା କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ୩ ଜଣ ଚାଷୀ ବଜ୍ରପାତ ଓ କୁଆପଥର ମାଡରୁ ରକ୍ଷା ପାଇବା ପାଇଁ ଏକ ପାଲରେ ଆଶ୍ରୟ ନେଇଥିଲେ। ହେଲେ ପାଲରେ ବଜ୍ରପାତ ଘଟିବାରୁ ତିନିଜଣ ଗୁରୁତର ଆହତ ହୋଇଥିଲେ। ନିକଟରେ ଥିବା ଗ୍ରାମବାସୀ ତାଙ୍କୁ ସଙ୍ଗେସଙ୍ଗେ ଆଳି ମେଡିକାଲ ଥିଲେ। ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣ ଚାଷୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।