ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି କୋହଲା ପାଗ। ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗରୁ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି। ଏହି ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୨୦ ପର୍ଯ୍ୟନ୍ତ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରି ହ୍ରାସ ପାଇବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ରାଜ୍ୟରେ ଶୁକ୍ରବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ କୋହଲା ରହିବା ସହ ତାପମାତ୍ରା ସାମାନ୍ୟ ହ୍ରାସ ପାଇ ଥିବା ବେଳେ ଅନୁଗୁଳ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୮.୭, ଟିଟିଲାଗଡ଼ରେ ୩୮.୫, ମାଲକାନଗିରିରେ ୩୮, ସୋନପୁରରେ ୩୭.୯, ସମ୍ବଲପୁର ଓ ଭବାନୀପାଟଣାରେ ୩୭.୮, ଅନୁଗୁଳରେ ୩୭.୭, ହୀରାକୁଦରେ ୩୭.୬, ସୁନ୍ଦରଗଡ଼ରେ ୩୭.୩, ପାରଳାଖେମୁଣ୍ଡିରେ ୩୭ ଡିଗ୍ରି ରେକର୍ଡ କରାଯାଇଛି।
ଟ୍ରଫ୍ ଲାଇନ୍ ଯୋଗୁଁ ପାଣିପାଗ କେନ୍ଦ୍ର ଆକଳନକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ କିଛି ଜିଲ୍ଲା ପାଇଁ ଏସ୍ଆରସି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ହେବାକୁ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଦେବଗଡ଼। ସେହିପରି ୧୭ ତାରିଖ ପାଇଁ ଭଦ୍ରକ, ଯାଜପୁର, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ମୟୂରଭଞ୍ଜ, ଓ କେନ୍ଦ୍ରାପଡ଼ା ପାଇଁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ କାଳବୈଶାଖୀ ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ଏସ୍ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ: ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା