ପୁରୀ: ମାଉସୀ ଘର ଅଭିମୁଖେ ବାହାରିଛି ତିନି ରଥ । ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇ ଶରଧାବାଲି ଅଭିମୁଖେ ଗଡିଥିଲା । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ ଠାକୁରଙ୍କ ରଥ ଗଡିଥିଲା । ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭକ୍ତମାନେ ଟାଣି ନେଉଛନ୍ତି । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଭାବ ଭକ୍ତିର ଏ ଅପୂର୍ବ ମିଳନକୁ ସାରା ବିଶ୍ଵ ଦେଖୁଛି । ଏହା ପରେ ସୁସଜ୍ଜିତ ହେଉଛି କାଳିଆ ସାଆନ୍ତେଙ୍କ ରଥ । ଭାଇ ଭଉଣୀଙ୍କୁ ଆଗରେ ପଠେଇ ନିଜେ ଭକ୍ତଙ୍କ ସାଙ୍ଗରେ ଲୀଳା କରି ଶରଧାବାଲି ଅଭିମୁଖେ ଯାତ୍ରା କରିବେ ।
ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଭକ୍ତଙ୍କ ଗହଳିରେ ଆସି ରଥରେ ବିରାଜମାନ କରିଥିଲେ । ୯ ଦିନ ପାଇଁ ବଡ ଦେଉଳ ଛାଡି ମାଉସୀ ଘରକୁ ଗହଳ ଲଗାଇବା ପାଇଁ ଯାଉଛନ୍ତି ତିନି ଠାକୁର । ପ୍ରଥମେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିଥିଲେ । ଏହା ପରେ ରଥରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ ବଡ ଠାକୁରଙ୍କ ରଥ ଗଡିଥିଲା । ରଥ ଉପରେ ଚତୁର୍ଦ୍ଧା ମୂରତିଙ୍କୁ ଦେଖିବା ପାଇଁ କାହିଁ କେଉଁ ଆଡୁ ଭକ୍ତଙ୍କ ସୁଅ ଝୁଟୁଛି ।