ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଲୋକାରଣ୍ୟ ହୋଇଛି। ଆଉ କିଛି ସମୟ ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହେବ। ମହାପ୍ରଭୁ ରଥାରୁଢ଼ ହୋଇ ଜନ୍ମବେଦୀ ଅଭିମୁଖେ ବାହାରିବେ। ସେହି ଅପୂର୍ବ ଦୃଶ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି।
ମଧ୍ୟାହ୍ଣ ସାଢେ ୧୨ଟାରେ ପହଣ୍ଡି ଶେଷ ହୋଇ ୧ଟାରେ ଶ୍ରୀମଦନମୋହନ ଓ ଶ୍ରୀକୃଷ୍ଣ ରଥରେ ବିଜେ ହେବେ। ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି କରାଯିବ। ସାଢେ ୨ଟାରେ ବେଶ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ। ଅପରାହ୍ନ ୩ଟାରେ ଚାରମାଳ ଫିଟା, ଘୋଡା ସାରଥୀ ଲାଗିବା ପରେ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ଏନଏସଜି ସ୍ନାଇପରଙ୍କ ସହ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୦ହଜାର ପୋଲିସ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ନିରାପତ୍ତା ପାଇଁ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦିଆଯାଇଛି।
ଘୋଷଯାତ୍ରା ନୀତିନିର୍ଘଣ୍ଟ: ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଅନୁସାରେ, ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳା ନୀତି ଓ ୬ଟା ୨୦ରେ ମଇଲମ ନୀତି ସମ୍ପନ୍ନ ହୋଇଛି। ସାଢେ ୬ଟାରେ ତଡପ ଲାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି। ସକାଳ ୮ଟାରେ ଖେଚୁଡି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳର୍ପଣ, ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା