କୋଲକାତା: କୋଲକାତାର ଆରଜି କର ମେଡିକାଲ ଓ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଥରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ କୋଲକାତା ଲ କଲେଜରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଏହି ଲୋମହର୍ଷଣକାରୀ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଅନୁଯାୟୀ, ଏହି ଘଟଣା ଜୁନ ୨୫ ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୫୦ ମଧ୍ୟରେ କଲେଜ ପରିସରରେ ଘଟିଛି । କସବା ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇ ତିନି ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ର, ଷ୍ଟାଫ ସଦସ୍ୟ ବ୍ୟତୀତ ବର୍ତ୍ତମାନ ପଢୁଥିବା ଜଣେ ଛାତ୍ର ସାମିଲ । ପୋଲିସ ଅନୁଯାୟୀ, ଅଭିଯୋଗ ମିଳିବା ପରେ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ, ସାକ୍ଷୀମାନଙ୍କ ବୟାନ ରେକର୍ଡ କ କରାଯାଇଛି । ଏହା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରାଯାଇଛି । କଲେଜ ପରିସରକୁ ବର୍ତ୍ତମାନ ସିଲ୍ କରି ଦିଆଯାଇଛି । ଯଦ୍ୱାରା ଫରେନ୍ସିକ ଟିମ୍ ତଦନ୍ତକୁ ତ୍ୱରାନିତ କରିପାରିବେ । ପୋଲିସ ତିନି ଅଭିଯୁକ୍ତଙ୍କ ମୋବାଇଲ ଜବତ କରିଛି । ସେମାନଙ୍କୁ ଆଜି ଅଲିପୁର ଅଦାଲତରେ ହାଜର କରାଯିବ ।
ସୂଚନାଯୋଗ୍ୟ, ଏହି ଘଟଣା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କ ସହ ହସ୍ପିଟାଲ ପରିସରରେ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ସିୟାଲଦହ କୋର୍ଟରେ ୨୦୨୫ ଜାନୁଆରୀ ୧୫ରେ ଦୋଷୀ ସାବ୍ୟସ୍ତ ହୋଇଛି ଏବଂ ଜାନୁଆରୀ ୨୦ରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଘଟଣା ସମଗ୍ର ଦେଶକୁ ଆନ୍ଦୋଳିତ କରିଥିଲା । ମମତା ବାନାର୍ଜୀ ସରକାର ବେଶ ଅଡୁଆରେ ପଡିଥିଲେ ।