ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଜଣେ ପ୍ରଖ୍ୟାତ ଖେଳାଳୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସମ୍ପୃକ୍ତ ଖେଳାଳୀ ଜଣକ ଗୁଏନାରେ ୧୧ ଜଣ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଏହା ସହିତ କ୍ରିକେଟରଙ୍କ ପରିଚୟକୁ ଗୋପନୀୟ ରଖାଯାଇଛି ।
ସ୍ପୋର୍ଟସ୍ ମ୍ୟାକ୍ସ ଟିଭିର ରିପୋର୍ଟ ମୁତାବକ, ଗୁଏନାର ଏକ ଖବର କାଗଜରେ ଏହି ଖବର ପ୍ରକାଶ ପାଇଥିଲା । ‘ମନଷ୍ଟର୍ ଇନ୍ ମେରୁନ’ ହେଡ଼ଲାଇନ ରଖି ଖବର ଛାପି ଥିଲା । ଯେଉଁଥିରେ ଉକ୍ତ କ୍ରିକେଟରଙ୍କ ସମ୍ପର୍କରେ ଲେଖାଯାଇଥିଲା । ସେହି ଅଭିଯୁକ୍ତ ଖେଳାଳୀ ଗୁଏନାର ହିଁ ବାସିନ୍ଦା ଅଟନ୍ତି । ଲେଖାଯାଇଥିବା ଯେ ସେ ଦିନରେ ଗର୍ବର ସହିତ ଚାଲୁଛି, ମେରୁନ (ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ ଜର୍ସିର ରଙ୍ଗ) ପିନ୍ଧୁଛି ଏବଂ ବିଶ୍ୱ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରୁଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଖବରକୁ ଦବାଇ ଦେବାକୁ ଅପଚେଷ୍ଟା କରାଯାଇଛି ବୋଲି ଅଭିଯୋଗ ହୋଇଛି ।
ଗଣମାଧ୍ୟମ ଦାବି କରିଥିଲା ଯେ ଅତିକମରେ 11 ଜଣ ମହିଳା ଯୌନ ଉତ୍ପୀଡ଼ନର ଶୀକାର ହୋଇଛନ୍ତି । ଯେଉଁଥିରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି । ଜଣେ ମହିଳା ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି । ସେ ଏବେ ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି । ଉକ୍ତ ଖେଳାଳୀଙ୍କ ବିରୁଦ୍ଧରେ ମୋବାଇଲ ଫୋନ୍ ସ୍କ୍ରିନ୍ ସଟ୍ସ, ମେସେଜ, ଫଟୋ, ଭଏସ୍ ମେସେଜ ଏବଂ ମେଡ଼ିକାଲ ଯିବାର ପ୍ରମାଣ ରହିଛି ।
କିନ୍ତୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି । ଏ ବାବଦରେ କୌଣସି ସୂଚନା ଦିଆଯିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ସିଡବ୍ଲ୍ୟୁଆଇର ଅଧ୍ୟକ୍ଷ କିଶୋର ଶୈଲୋ କହିଥିଲେ ଯେ ଏ ବିଷୟରେ ଅବଗତ ନାହିଁ । ସେଥିପାଇଁ ଏହି ସମୟରେ ସେ କୌଣସି ଟିପ୍ପଣୀ ଦେଇ ପାରିବେ ନାହିଁ ।