ବାରିପଦା :ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ଚତୁର୍ଦ୍ଧା ମୁରତୀଙ୍କୁ ଗୋଟି ପହଣ୍ଡିରେ ରଥାରୁଢ଼ କରିଛନ୍ତି ସେବାୟତଗଣ । ରଥରେ ମହାପ୍ରଭୂଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ କୃତ୍ୟକୃତ୍ୟ ହୋଇଛନ୍ତି । ମଧ୍ୟାହ୍ନ ଧୁପ ପରେ ଶ୍ରୀଜୀଉମାନଙ୍କ ଚକାଛଡା ନିତି ଅନୁଷ୍ଠିତ ହୋଇଥିଲା । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଛେରାପହଁରା କରିଛନ୍ତି ନିଜେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ତିନି ରଥରେ ଛେରାପହଁରା କରିବା ପରେ ପ୍ରଥମେ ବଡଭାଇ ବଳଭଦ୍ରଙ୍କ ପହଣ୍ଡି କରାଯାଇଛି ଏବଂ ପରେ ପରେ ମା ସୂଭଦ୍ରା ଓ ସୂଦର୍ଶନ ଏବଂ ଶେଷରେ ମହାବାହୁ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ କରାଯାଇ ରଥାରୁଢ କରାଯାଇଛି ।
ଆଜି ତିନିଠାକୁର ରଥ ଉପରେ ଭକ୍ତ ଙ୍କୁ ମୁକ୍ତ ଦର୍ଶନ ଦେବେ। ଆସନ୍ତା କାଲି ଓ ତା ପରଦିନ ଦୁଇଦିନ ଧରି ବାରିପଦାରେ ହେବ ରଥଟଣା। ଆଜକୁ ୫୦ବର୍ଷରୁ ଉର୍ଦ୍ଧ ହେଲାଣି ଏଠାରେ ମା ସୁଭଦ୍ରାଙ୍କ ରଥ କୁ ମହିଳାମାନେ ଟାଣିବା ପରମ୍ପରା ରହିଛି ଯାହା ବିଶ୍ବରେ ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ ସୃଷ୍ଟି କରାପାରଛି । ଚଳିତ ବର୍ଷ ରଥଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଅଧିକ ପୋଲିସ ମୁତୟନ କରାଯାଇଛି । ସମ୍ପୂର୍ଣ୍ଣ ସ୍ଥାନ କୁ ସିସିଟିଭି ସର୍ଭିଲାନ୍ସଶରେ ରଖାଯାଇଛି ବୋଲି ମୟୂରଭଞ୍ଜ ଏସ୍ ପି ବରୁଣ ଗୁଣ୍ଟୁପାଲି କହିଛନ୍ତି ।