ପୁରୀ: ଯେଉଁ ମୁହୂର୍ତ୍ତକୁ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସେହି ମୁହୂର୍ତ୍ତ ପହଁଚଛି । ଭକ୍ତଙ୍କୁ ଦେଖିବାକୁ ରତ୍ନସିଂହାସନ ଛାଡ଼ି ବଡ଼ ଦେଉଳରୁ ବାହାରି ଆସିଲେଣି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପହଣ୍ଡୀ ବୀଜେ ନୀତି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ଶ୍ରୀଜୀଉ ।
ଘଣ୍ଟ ନାଦର ତାଳେ ତାଳେ ପ୍ରଥମେ ଚକ୍ରବୀର ସୁଦର୍ଶନ ଶୂନ୍ୟ ପହଣ୍ଡିରେ ଶ୍ରୀମନ୍ଦିରରୁ ବାହାରିଥିଲେ । ସେବାୟତମାନେ ସୁଦର୍ଶନଙ୍କୁ ଦର୍ପଦଳନ ରଥରେ ବିଜେ କରାଇଛନ୍ତି । ଏହା ପରେ ଆରମ୍ଭ ହୋଇଛି ବଡ଼ ଭାଇ ପ୍ରଭୁ ଶ୍ରୀବଳଦେବ ଧାଡ଼ି ପହଣ୍ଡି । ମୁଣ୍ଡରେ ହଲୁଛି ରାଘବ ଦାସ ମଠର ଟାହିଆ, ଭକ୍ତଙ୍କ କାନ୍ଧରେ ଝୁଲି ଝୁଲି ତାଳଧ୍ୱଜ ରଥରେ ବିଜେ କରିଛନ୍ତି । ପଛେ ପଛେ ଆସୁଛନ୍ତି ଭଉଣୀ ସୁଭଦ୍ରା ।
ଭାବ ଭକ୍ତି ଉଚ୍ଛୁଳି ପଡ଼ୁଛି ବଡ଼ ଦାଣ୍ଡ । ଭକ୍ତ ଓ ଭଗବାନ ମହାମିଳନର ସମୟ ଆସିଛି । ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି, ଖୋଳ, କରତାଳରେ କମ୍ପୁଛି ବଡ଼ ଦାଣ୍ଡ । କାଳିଆ ପ୍ରେମରେ ବିଭୋର ଭକତ ।
ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଥିଲା । ଏହା ପରେ ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ହୋଇଛି । ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ଏବଂ ବେଶ ଶେଷ ହୋଇଥିଲା । ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଛି।