ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ । ରତ୍ନ ସିଂହାସନ ଛାଡି ଜନ୍ମବେଦୀକୁ ଓହ୍ଲାଇ ଆସିବେ ଚତିର୍ଦ୍ଧମୂରତି । ଏଥିପାଇଁ ରଥ, ପଥ ସବୁ କିଛି ପ୍ରସ୍ତୁତ । ଆଉ ଏହି ଦିବ୍ୟ ମୁହୂର୍ତକୁ ଦେଖିବା ପାଇଁ ଚାହିଁଛନ୍ତି ଅଗଣିତ ଭକ୍ତ । ଦେଶ ବିଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ ।
ତେବେ ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ବିଶେଷ ‘ଆମ ବସ’ ସେବା ପରିଚାଳନା କରିବାକୁ ଘୋଷଣା କରିଛି। ଭକ୍ତଙ୍କ ଯାତାୟତକୁ ସୁଗମ କରିବା ପାଇଁ ମୋ ବସ ଜୁନ ୨୭ରୁ ୨୮ ତାରିଖ ଏବଂ ପୁଣି ଜୁଲାଇ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଏନେଇ ସିଆରୟୁଟି ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି । ଏହି ସମୟରେ ରୁଟ ନମ୍ବର ୫୨, ୫୩, ୭୩, ୭୪ ଏବଂ ୭୯ରେ ଚାଲୁଥିବା ସେବାଗୁଡ଼ିକ ସାମୟିକ ଭାବେ ବନ୍ଦ ରହିବ। ଏହାସହ ପୁରୀ ଜିଲା ପ୍ରଶାସନର କୌଣସି ନିର୍ଦେଶ କିମ୍ବା ଟ୍ରାଫିକ ପରିସ୍ଥିତିରେ ପରିବର୍ତ୍ତନ ହେଲେ ବିଶେଷ ସେବାର ସୂଚୀରେ ପରିବର୍ତ୍ତନ କରାଯାଇପାରେ। ଯାହା ପରବର୍ତି ସମୟରେ ଯାତ୍ରୀ ମାନଙ୍କୁ ଅବଗତ କରାଯିବ ।