ପୁରୀ: ସରିଲା ଅପେକ୍ଷାର ଅନ୍ତ । ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି । ବଡ଼ଦାଣ୍ଡରେ ଭଗବାନଙ୍କ ସହ ଭକ୍ତ, ଭକ୍ତି ସହ ଭାବର ହେବ ମହାମିଳନ । ଭକ୍ତର ଅଶ୍ରୁରେ ଭିଜିବ ବଡଦାଣ୍ଡ । ଭକ୍ତର ଭକ୍ତିରେ ଟାଣି ହୋଇ ରତ୍ନସିଂହାସନ ଛାଡ଼ି ବଡ଼ ଦେଉଳରୁ ବାହାରି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ ଘଣ୍ଟା, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରଥମେ ସୁଦର୍ଶନ ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜମାନ କରିଥିଲେ । ଏହା ପରେ ବଡ ଠାକୁର ପ୍ରଭୁ ଶ୍ରୀବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ । ପଛେ ପଛେ ଆସୁଛନ୍ତି ଭଉଣୀ ସୁଭଦ୍ରା ଆସି ଦର୍ପଦଳନ ରଥରେ ବିରାଜିଥିଲେ । ଶେଷରେ କୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥ ଟାହିଆ ହଲେଇ ହଲେଇ ଶ୍ରୀ ମନ୍ଦିର ଛାଡି ଭକ୍ତଙ୍କ ଭାବରେ ଆସି ରଥରେ ବିରାଜିଥିଲେ । ନନ୍ଦିଘୋଷ, ତାଳଧ୍ବଜ, ଦର୍ପଦଳନ ରଥରେ ବିରାଜମାନ କରି ସାରା ବିଶ୍ଵ ବ୍ରହ୍ମାଣ୍ଡକୁ ଦେଖୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଶଙ୍ଖ, ଘଣ୍ଟ, ହରିବୋଲରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ ।
ନୀତି ନିର୍ଘଣ୍ଟ ଅନୁସାରେ, ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ନୀତି କରାଯାଇଥିଲା । ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ଏବଂ ବେଶ ଶେଷ ହୋଇଥିଲା । ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଛି।