ଭୁବନେଶ୍ବର: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ପୁରୀ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହୋଇଛି। ଏହି ଅବସରରେ ଆଜି ଭୁବନେଶ୍ବର ଇସ୍କନ ମନ୍ଦିରରେ ମଧ୍ୟ ଗଡିବ ତିନି ରଥ। ହଜାର ହଜାର ଭକ୍ତ ଗହଣରେ ଶ୍ରୀଜଗନ୍ନାଥ ସାଙ୍ଗରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରୁଢ ହୋଇ ଯାତ୍ରା କରିବେ। ତେବେ ଚଳିତ ବର୍ଷ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଇସ୍କନ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଦିନ ୩ ଟାରେ ଟଣା ଯିବ ବୋଲି ସୂଚନା ମିଳିଛି ।
ଜଗନ୍ନାଥ ବଳଭଦ୍ର ଓ ମାତା ସୁଭଦ୍ରା ରଥାରୁଢ଼ ହୋଇ ଇସ୍କନରୁ ବାହାରି ସିଆରପି ସ୍ଥିତ ମାଉସୀ ମା’ ମନ୍ଦିରକୁ ଯାତ୍ରା କରିବେ। ଇସ୍କନରେ ଏହି ପବିତ୍ର ରଥଯାତ୍ରା ପାଇଁ ରଥ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ରାତି ମଧ୍ୟରେ ଏହା ଶେଷ ହେବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀରୁ ନୀତିକାନ୍ତି ଆରମ୍ଭ ହୋଇ ସମସ୍ତ ନୀତିକାନ୍ତ ସାରିବା ପରେ ଦିନ ୧୨ରେ ଆରମ୍ଭ ହେବ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ବିଜେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହ ସୁଦର୍ଶନ ପହଣ୍ଡି କରି ରଥାରୁଢ଼ ହେବା ପରେ ଦିନ ୨ ଟାରେ ଛେରା ପହଁରା ନୀତି କରାଯିବ। ଛେରାପହଁରା ପରେ ଦିନ ୩ଟାରେ ରଥ ଟଣା ହେବ ବୋଲି କହିଛି ଇସ୍କନ ମନ୍ଦିର ପ୍ରଶାସନ।
ତେବେ ରଥ ଟଣାକୁ ନେଇ ସମସ୍ତ ବ୍ୟବସ୍ଥା ମନ୍ଦିର ପକ୍ଷରୁ ହୋଇଥିବା ବେଳେ ସମସ୍ତ ବିଭାଗ ସହ ଭୁବନେଶ୍ୱର ମହାମହାନଗର ନିଗମ ଓ କମିକମିସନରେଟ ପୋଲିସର ବଡ ଦାୟିତ୍ୱ ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପକ୍ଷରୁ ୧୫୦ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଭକ୍ତ ଭଗବାନଙ୍କର ଏହି ଆପୂର୍ବ ମିଳନର ପର୍ବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହେବ।