ପୁରୀ: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରା । ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ । ଶ୍ରୀମନ୍ଦିର ଛାଡ଼ି ରଥ ଉପରେ ବିରାଜମାନ କରିବେ ଚତୁର୍ଦ୍ଧାମୂରତି । ଘଣ୍ଟ, ଘଣ୍ଟା, ହୁଳହୁଳୀରେ ଫାଟି ପଡୁଛି ବଡ଼ଦାଣ୍ଡ । ଚତୁର୍ଦ୍ଧାମୂରତିଙ୍କୁ ଚର୍ମ ଚକ୍ଷୁରେ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛି ଭକ୍ତ । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବଡଦାଣ୍ଡ ଲୋକାରଣ୍ୟ ହୋଇପଡିଛି । ବଡଦାଣ୍ଡରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
୨ଶହ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ ହେବା ସହିତ ୨୭୫ଟି AI କ୍ୟାମେରା ଲଗାଯାଇଛି । ଏହା ମାଧ୍ୟମରେ ଭୁବନେଶ୍ବରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତା ସହ ସାରା ପୁରୀ ସହର ଉପରେ ନଜର ରଖାଯାଇଛି । ସମୁଦ୍ର ପଥ ସୁରକ୍ଷାକୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଲେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବମ୍ ସ୍କ୍ବାଡ, ଡଗ୍ ସ୍କ୍ବାଡ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି ।
ରଥଯାତ୍ରା ପାଇଁ ପୁରୀକୁ ଯାଉଥିବା ଯାନବାହନ ଚଳାଚଳ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଟ୍ରାଫିକ ପରିଚାଳନାରୁ ପାର୍କିଂ, ସ୍ବାସ୍ଥ୍ୟସେବାରୁ ସିକ୍ୟୁରିଟି ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି । ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ଟି ଡ୍ରୋନ୍ ରଖାଯାଇଛି । ସବୁ ବିଭାଗକୁ ସଜାଗ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।