କୋଲକାତା: କୋଲକାତାର ଆରଜି କର ମେଡିକାଲ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବର୍ଷେ ନ ପୁରୁଣୁ ଏବେ ଆଉ ଏକ ଲୋମହର୍ଷଣକାରୀ ମାମଲା ଆସିଛି । ଦକ୍ଷିଣ କୋଲକାତା ଆଇନ ମହାବିଦ୍ୟାଳୟରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଭାରତୀୟ ଜନତା ପାର୍ଟି ବଡ଼ ଅଭିଯୋଗ କରିଛି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସହିତ ଶାସକ ତୃଣମୂଳ କଂଗ୍ରେସର ବରିଷ୍ଠ ନେତାଙ୍କ ଫଟୋ ଘୂରି ବୁଲୁଛି । ବିଜେପି ରାଜ୍ୟ ମୁଖ୍ୟପାତ୍ର ଅମିତ ମାଲବୀୟ ଏହି ଫୋଟ ଜାରି କରିଛନ୍ତି ।
ଅମିତ ମାଲବୀୟଙ୍କ ପୋଷ୍ଟରେ ଯେଉଁ ଫଟୋ ରହିଛି, ସେଥିରେ ମୁଖ୍ୟ ଅଭିଯୁକ୍ତ ମନୋଜୀତ ମିଶ୍ର ସହିତ ସାଂସଦ ଅଭିଷେକ ବାନାର୍ଜୀ, କାଉନସିଲର୍ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଉଜ କଜରି ବାନାର୍ଜୀ ଏବଂ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଫଟୋ ରହିଛି । ସବୁ ଫଟୋରେ ମୁଖ୍ୟ ଅଭିଯୁକ୍ତଙ୍କୁ ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ପୂର୍ବର ଆର ଜି ମେଡ଼ିକାଲ କଲେଜ ଭଳି ଏ ଆଇନ କଲେଜରେ ମଧ୍ୟ କର୍ତ୍ତୃପକ୍ଷ ତାଲା ପକାଇ ଦେଇଛନ୍ତି । ପୀଡ଼ିତାଙ୍କ ଠିକଣାକୁ ଲୁଚାଇ କାହାକୁ ସୁରକ୍ଷା ଦିଆଯାଉଛି ବୋଲି ଅମିତ ପ୍ରଶ୍ନ କରିଛନ୍ତି । ସେହିପରି ବଳାତ୍କାରୀକୁ ଟିଏମସି ନେତାମାନେ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ଉଲ୍ଲେଖ ଯୋଗ୍ୟ, ଜୁନ ୨୫ ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୫୦ ମଧ୍ୟରେ କଲେଜ ପରିସରରେ ଏହି ଘଟଣା ଘଟିଛି । କସବା ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ର, ଜଣେ ବର୍ତ୍ତମାନର ଏବଂ କଲେଜ କର୍ମଚାରୀ ସାମିଲ ଅଛନ୍ତି । ପୋଲିସ ଅନୁଯାୟୀ, ଅଭିଯୋଗ ମିଳିବା ପରେ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ, ସାକ୍ଷୀମାନଙ୍କ ବୟାନ ରେକର୍ଡ କ କରାଯାଇଛି । ଏହା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରାଯାଇଛି । କଲେଜ ପରିସରକୁ ବର୍ତ୍ତମାନ ସିଲ୍ କରି ଦିଆଯାଇଛି । ଯଦ୍ୱାରା ଫରେନ୍ସିକ ଟିମ୍ ତଦନ୍ତକୁ ତ୍ୱରାନିତ କରିପାରିବେ । ପୋଲିସ ତିନି ଅଭିଯୁକ୍ତଙ୍କ ମୋବାଇଲ ଜବତ କରିଛି । ସେମାନଙ୍କୁ ଆଜି ଅଲିପୁର ଅଦାଲତରେ ହାଜର କରାଯିବ ।
ଏହି ଘଟଣା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କ ସହ ହସ୍ପିଟାଲ ପରିସରରେ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ସିୟାଲଦହ କୋର୍ଟରେ ୨୦୨୫ ଜାନୁଆରୀ ୧୫ରେ ଦୋଷୀ ସାବ୍ୟସ୍ତ ହୋଇଛି ଏବଂ ଜାନୁଆରୀ ୨୦ରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।