ପୁରୀ: ଆଜି ମହାପ୍ରଭୁ ବିଶ୍ୱନୟନ୍ତାଙ୍କ ଯାତ୍ରା ରଥଯାତ୍ରା ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଅବସରରେ ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ସମ୍ମୁଖ ଭାଗରେ ସେବକ ରହିବେ ନାହିଁ। ରଥର ଉଭୟ ପାର୍ଶ୍ବ ବାଡ଼ରେ କୌଣସି ସେବକ ଠିଆ ହୋଇ ରହିପାରିବେ ନାହିଁ। ଫୁଲ ଇତ୍ୟାଦି ତଳକୁ ଫିଙ୍ଗିବେ ନାହିଁ। ରଥଯାତ୍ରା ବ୍ୟବସ୍ଥାବଳୀରେ ଏହାକୁ ସ୍ପଷ୍ଟ କରାଯାଇଛି। ଛେରାପହଁରା ପରେ କେବଳ ରଥ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରଥ ଉପରେ ରହିବେ। ଶ୍ରୀବଳଭଦ୍ରଙ୍କ ରଥରେ ୬୦ ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ଜଣ, ଶ୍ରୀଜଗନ୍ନାଥଙ୍କ ରଥରେ ୭୦ ଜଣ ରହିବେ। ତିନି ରଥରେ ମୋଟ ୧୮୦ଜଣ ସେବାୟତ ଯୋଗଦାନ କରିବେ।
ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଲୋକାରଣ୍ୟ ହୋଇଉଠିଛି। ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଗଲାଣି । ମହାପ୍ରଭୁ ରଥାରୁଢ଼ ହୋଇ ଜନ୍ମବେଦୀ ଅଭିମୁଖେ ବାହାରିବେ। ସେହି ଅପୂର୍ବ ଦୃଶ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି।
ମଧ୍ୟାହ୍ଣ ସାଢେ ୧୨ଟାରେ ପହଣ୍ଡି ଶେଷ ହୋଇ ୧ଟାରେ ଶ୍ରୀମଦନମୋହନ ଓ ଶ୍ରୀକୃଷ୍ଣ ରଥରେ ବିଜେ ହେବେ। ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି କରାଯିବ। ସାଢେ ୨ଟାରେ ବେଶ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ। ଅପରାହ୍ନ ୩ଟାରେ ଚାରମାଳ ଫିଟା, ଘୋଡା ସାରଥୀ ଲାଗିବା ପରେ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ଏନଏସଜି ସ୍ନାଇପରଙ୍କ ସହ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୦ହଜାର ପୋଲିସ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ନିରାପତ୍ତା ପାଇଁ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦିଆଯାଇଛି।