ପୁରୀ: ଆଜି ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀ ଛାଡି ବଡଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତ । କୋଟି କୋଟି ଓଡିଆଙ୍କ ମଉଡମଣି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଆଉ ଏହି ଦିବ୍ୟ ମୁହୂର୍ତକୁ ଦେଖିବା ପାଇଁ ବ୍ୟାକୁଳତାର ସହ ଜଗତର ନାଥ ଜଗନ୍ନାଥଙ୍କୁ ଅପେକ୍ଷା କରିଛନ୍ତି ଭକ୍ତ ଓ ସେବକମାନେ।
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ନିଜେ ନୀତି ଶେଷ ହେବା ପରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଆଣୁଛନ୍ତି । ଦିବ୍ୟ ସୁନ୍ଦର ଟାହିଆ ପିନ୍ଧି ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥ ଉପରକୁ ଆସୁଛନ୍ତି । ଯେଉଁ ଦୃଶ୍ୟକୁ ଦେଖିଲେ ଭକ୍ତ ବିମୋହିତ ହୋଇପଡୁଛି । ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ପହଣ୍ଡିରେ ବାହାରିବେ । ଶେଷରେ ଝୁଲିଝୁଲି ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ଶ୍ରୀ ଜଗନ୍ନାଥ ।
ତେବେ ଏହି ସମୟରେ ମହାପ୍ରଭୁଙ୍କ ସେବାରେ ରହିଥିବା ଘଣ୍ଟୁଆ ସେବକମାନେ ବିଶେଷ ଆକର୍ଷଣ ସାଜିଥାନ୍ତି ଘଣ୍ଟର ତାଳେ ତାଳେ ଠାକୁରଙ୍କ ପହଣ୍ଡି ହେଉଥିବା ବେଳେ ରଥବି ଆଗକୁ ବଢେ । ତେଣୁ ଘଣ୍ଟୁଆ ସେବକଙ୍କର ବିଶେଷ ମହତ୍ୱ ରହିଛି । ଚଳିତବର୍ଷ ବ୍ୟବସ୍ଥାବଳୀରେ ଘଣ୍ଟୁଆ ସେବକଙ୍କ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରାଯାଇଛି । ଯେଉଁ ରଥରେ ଯେତେ ଚକ ସେହି ରଥରେ ସେତିକି ଘଣ୍ଟୁଆ ରହିବେ ବୋଲି କୁହାଯାଇଛି । ଛେରାପହଁରା ପୂର୍ବରୁ ଘଣ୍ଟୁଆ ମାନେ ରଥ ଉପରକୁ ଯିବେ ନାହିଁ । ଛେରା ପହଁରା ସରିବା ପରେ ହିଁ ନିର୍ଦ୍ଧାରିତ ସଂଖ୍ୟକ ଘଣ୍ଟୁଆ ରଥ ଉପରକୁ ଆସିବେ । ଯେଉଁ ରଥରେ ଯେତିକି ଚକ ସେତିକି ସଂଖ୍ୟକ ଘଣ୍ଟୁଆ ରଥ ଉପକୁ ଚଢିବେ । ଅର୍ଥାତ ତାଳଧ୍ୱଜ ରଥରେ ୧୪ ଜଣ , ଦେବଦଳନ ରଥରେ ୧୨ ଓ ନନ୍ଦିଘୋଷ ରଥରେ ୧୬ ଜଣ ଘଣ୍ଟୁଆ ସେବକ ରହିବେ । ତେବେ ରଥ ଚାଲିବା ସମୟରେ ଉଭୟ ଗୋଷ୍ଠୀ ଘଣ୍ଟ ବାଦନ କରିବେ ।