ନୂଆଦିଲ୍ଲୀ: ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ଏବେ ଭାରତ ଗଙ୍ଗା ନଦୀ ଜଳ ବଣ୍ଟନକୁ ନେଇ ବାଂଲାଦେଶ ସହ ଆଲୋଚନା କରିବ । ବାଂଲାଦେଶ ସହ ହୋଇଥିବା ଐତିହାସିକ ଗଙ୍ଗା ଚୁକ୍ତିନାମାର ସର୍ତ୍ତରେ ପରିବର୍ତ୍ତନ ପାଇଁ ବିଚାର କରୁଛି ଭାରତ । ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ଖୁଲାସା ହୋଇଛି ।
ଇକୋନୋମିକ୍ସ ଟାଇମ୍ସ ନିଜର ଏକ ରିପୋର୍ଟରେ କହିଛି ଯେ, ପୁରୁଣା ଚୁକ୍ତିକୁ ପରସ୍ପର ସହମତି ଆଧାରରେ ସଂଶୋଧନ କରାଯିବା ନେଇ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ହେଲେ ଭାରତ ଏହାକୁ ନିଜର ସାଂପ୍ରତିକ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରିବାକୁ ଚାହୁଁଛି । ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ଜନସଂଖ୍ୟା ଓ ଆନୁସଙ୍ଗିକ ଭିତ୍ତି ଭୂମିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଚାହୁଁଛି ଏହି ରାଜିନାମାର ସର୍ତ୍ତ ପୁନର୍ବାର ସ୍ଥିର କରାଯାଉ ।
ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ୧୯୯୬ରେ ଏହି ଚୁକ୍ତିନାମା ହୋଇଥିଲା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ଏହି ଚୁକ୍ତିନାମାର ଅବଧି ୩୦ ବର୍ଷ ଥିଲା । ଏହା ଅନୁଯାୟୀ ଚୁକ୍ତିନାମା ଆସନ୍ତା ବର୍ଷ ସମାପ୍ତ ହେଉଛି । ଭାରତ ଅନୁଯାୟୀ ନୂଆ ସର୍ତ୍ତ ଲାଗୁ କରାଯିବା ପଛର ଉଦ୍ଦେଶ୍ୟ ହେଉଛି ଗ୍ରୀଷ୍ମ ସମୟରେ ପଶ୍ଚିମବଙ୍ଗରେ ପାନୀୟ ଜଳର ଅଭାବ, ବନ୍ଦର ସଞ୍ଚାଳନ ଓ ବିଜୁଳି ଉତ୍ପାଦନ ପରି ଆବଶ୍ୟକତା ପୂରା କରିବା ।
ବର୍ତ୍ତମାନ ବ୍ୟବସ୍ଥା ଆଧାରରେ ଗ୍ରୀଷ୍ମ ସମୟରେ ମାର୍ଚ୍ଚ ୧୧ରୁ ମେ ୧୧ ପର୍ଯ୍ୟନ୍ତ ଦୁଇ ଦେଶକୁ ୧୦-୧୦ ଦିନ ପାଇଁ ପାଳି ଆଧାରରେ ୩୫ ହଜାର କ୍ୟୁସେକ ପାଣି ଉପଲବ୍ଧ କରାଯାଏ । ହେଲେ ଭାରତ ଅତିରିକ୍ତ ୩୦ ହଜାରରୁ ୩୫ ହଜାର କ୍ୟୁସେକ ଜଳ ଦାବି କରୁଛି ।