ନୂଆଦିଲ୍ଲୀ: ରେଳ ଯାତ୍ରୀ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଯଦି ଯାତ୍ରା କରିବାବେଳେ ଟ୍ରେନ ବିଳମ୍ବରେ ଆସେ କିମ୍ବା ଏସି କୋଟରେ ଥଣ୍ଡା ନ ଲାଗେ ତେବେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟିକେଟର ମୂଲ୍ୟ ଫେରସ୍ତ କରାଯିବ । ଏଭଳି ଏକ ନୂତନ ଆଇନ ଆଣିଛି ଆଇଆରସିଟିସି ।
ପୂର୍ବରୁ ଯାତ୍ରାବେଳେ ଯଦି ଟ୍ରେନ୍ ୫ ଘଣ୍ଟା ବିଳମ୍ବରେ ଆସୁଥିଲା କିମ୍ବା ଏସି କୋଚରେ ଥଣ୍ଡା ଲାଗୁ ନ ଥିଲା ତେବେ ଆଇଆରସିଟିସି ଅଧା ଟଙ୍କା ଫେରସ୍ତ କରୁଥିଲା । କିନ୍ତୁ ଏହି ପଲିସିରେ ଏବେ ପରିବର୍ତ୍ତନ କରାଯାଇଛି । ଏବେ ସମ୍ପୂର୍ଣ୍ଣ ଟିକେଟର ପଇସା ଫେରସ୍ତ କରାଯାଇଛି ।
ଯଦି ଟ୍ରେନ୍ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୁଏ ତେବେ ଯାତ୍ରୀମାନେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇ ପାରିବେ । ସେହିପରି ଏସି ୨ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିଲେ ମଧ୍ୟ ସମାନ ନିୟମ ଲାଗୁ ହେବ । ଆଇଆରସିଟିସିର ୱେବ୍ ସାଇଟରେ ଅଭିଯୋଗ କଲେ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଫେରସ୍ତ ମିଳିବ ।
ଏପରି କରିବେ ଆବେଦନ...
ଯଦି ଟ୍ରେନରେ ଯାତ୍ରାବେଳେ ଏଭଳି ସମସ୍ୟା ଉତ୍ପନ୍ନ ହୁଏ ତେବେ ଆପଣଙ୍କୁ ଆଇଆରସିଟିସିର ୱେବ୍ ସାଇଟ୍ ରେ ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ କରିବାକୁ ପଡ଼ିବ । ପ୍ରଥମେ www.irctc.co.in ରେ ଲଗ୍ ଇନ୍ କରିବାକୁ ପଡ଼ିବ । ଏହା ପରେ ନିଜର ୟୁଜର୍ ଆଇଡି ଏବଂ ପାସୱାର୍ଡ ଦେବାକୁ ପଡ଼ିବ । ଏହା ପରେ ରିଫଣ୍ଡ୍ କିମ୍ବା କମ୍ପ୍ଲେଣ୍ଟ୍ (Refund or Complaint) ସ୍ଥାନରେ କ୍ଲିକ୍ କରିବାକୁ ହେବ । ସେଠାରେ ଟିକେଟର ପିଏନ୍ଆର୍ ନମ୍ବର, ଯାତ୍ରାର ତାରିଖ ଏବଂ ଅସୁବିଧା ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ିବ । ଏହାକୁ ସବମିଟ୍ କରିବାର ମାତ୍ର ୭ରୁ ୧୦ ମିନିଟ୍ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ ।
କ'ଣ ରହିଛି ନିୟମ ?
ତେବେ ଏଠାରେ ଆଉ ଏକ କଥା ଧ୍ୟାନ ଦେବାକୁ ପଡ଼ିବ ଯେ ଏହି ନିୟମ କେବଳ କନଫର୍ମ ହୋଇଥିବା ଟିକେଟ୍ ପାଇଁ ଲାଗୁ ହୋଇପାରିବ । ଯେଉଁମାନଙ୍କର ୱେଟିଂରେ ଥିବ ସେମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ । ସେହିପରି ଯଦି ଟ୍ରେନ ବିଳମ୍ବର କାରଣ ପ୍ରାକୃତିକ ବିପର୍ଯ୍ୟୟ (ବର୍ଷା, ବାତ୍ୟା କିମ୍ବା ବନ୍ୟା) ହୋଇଥାଏ ତେବେ ଏହି ନିୟମ ଲାଗୁ ହେବ ନାହିଁ । ସେହିପରି ଏସି ଖରାପ ହେବାର ମଧ୍ୟ ପ୍ରମାଣ ମଧ୍ୟ ଦେବାକୁ ପଡ଼ିବ । ଯେପରିକି ଟିଟିଇ ଏବଂ ଉପସ୍ଥିତ ରେଳ କର୍ମଚାରୀଙ୍କ ଠାରୁ ଲିଖିତ ଆକାରରେ ନେବାକୁ ପଡ଼ିବ ।