ନୂଆଦିଲ୍ଲୀ: ପୁଣି ଥରେ ଆତଙ୍କ ଖେଳାଇଛି ନୀଳ ଡ୍ରମ । ପଞ୍ଜାବର ଲୁଧିଆନାରେ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ସବୁଠାରୁ ବଡ଼ ଖବର ହେଉଛି ମୃତଦେହଟି ନୀଳ ଡ୍ରମରୁ ମିଳିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସଏଚଓ କୁଲୱନ୍ତ କୌର କହିଛନ୍ତି ଯେ ଡ୍ରମରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଡ୍ରମ ଭିତରୁ ଏକ ଗଳିତ ମୃତ ଦେହକୁ ଉଦ୍ଧାର କରିଥିଲା । ଯୁବକଙ୍କ ବେକ ଏବଂ ଗୋଡ଼ ରଶିରେ ବନ୍ଧା ହୋଇଥିଲା । ପ୍ରାଥମିକ ତଦନ୍ତରୁ ମୃତ ଯୁବକ ଜଣକ ଜଣେ ଅଣପଞ୍ଜାବୀ ଅଟନ୍ତି । ଶରୀରରେ କୌଣସି ଆଘାତ ଚିହ୍ନ ମିଳିନାହିଁ, କିନ୍ତୁ ଶରୀରର ଅବସ୍ଥା ବହୁତ ଖରାପ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଦେଇଛି । ରିପୋର୍ଟ ଆସିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ଅନ୍ୟପକ୍ଷରେ ଡ୍ରମ ବିଷୟରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ । ହତ୍ୟାର କିଛି ସମୟ ପୂର୍ବରୁ ଡ୍ରମଟି କିଣା ଯାଇଥିବା ଜଣାପଡ଼ିଛି । ପୋଲିସ ଲୁଧିଆନାରେ 42ଟି ଡ୍ରମ୍ ତିଆରି ୟୁନିଟ୍ ଚିହ୍ନଟ କରିଛି । ଯେଉଁ ଡ୍ରମ୍ରେ ମୃତଦେହ ମିଳିଥିଲା ତାହା ନୂଆ ବୋଲି ମନେ ହେଉଛି । ଅପରାଧ ଘଟଣାସ୍ଥଳର ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି । ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ କ୍ୟାମେରାରୁ ମଧ୍ୟ ସୂଚନା ସଂଗ୍ରହ କରାଯାଉଛି । ପୋଲିସ ସନ୍ଦିଗ୍ଧ ଯାନବାହନ ଉପରେ ମଧ୍ୟ ନଜର ରଖିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମାର୍ଚ୍ଚ ୩ ତାରିଖରେ ଉତ୍ତର ପ୍ରଦେଶର ମେରଠରେ ମଧ୍ୟ ସମାନ ଏକ ମାମଲା ସାମ୍ନାକୁ ଆସିଥିଲା । ସୌରଭ ରାଜପୁତ ନାମକ ଜଣେ ଯୁବକଙ୍କ ମୃତଦେହ ନୀଳ ଡ୍ରମରେ ମିଳିଥିଲା । ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ପ୍ରେମିକ ସାହିଲ ଶୁକ୍ଳା ସୌରଭଙ୍କୁ ହତ୍ୟା କରିବା ପେର ନୀଳ ଡ୍ରମରେ ଖଣ୍ଡ ଖଣ୍ଡ କରି ରଖିଥିଲେ । ଘଟଣା ପରେ ଉଭୟ ହିମାଚଳ ପ୍ରଦେଶ ଚାଲିଯାଇଥିଲେ।