ନୂଆଦିଲ୍ଲୀ: ପବିତ୍ର ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା ଓ ହାର୍ଦ୍ଦିକ ଅଭିନନ୍ଦନ। ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବରେ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ। ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର କାମନା।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଲୋକାରଣ୍ୟ ହୋଇଛି। ଆଉ କିଛି ସମୟ ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହେବ। ମହାପ୍ରଭୁ ରଥାରୁଢ଼ ହୋଇ ଜନ୍ମବେଦୀ ଅଭିମୁଖେ ବାହାରିବେ। ସେହି ଅପୂର୍ବ ଦୃଶ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି।
ମଧ୍ୟାହ୍ଣ ସାଢେ ୧୨ଟାରେ ପହଣ୍ଡି ଶେଷ ହୋଇ ୧ଟାରେ ଶ୍ରୀମଦନମୋହନ ଓ ଶ୍ରୀକୃଷ୍ଣ ରଥରେ ବିଜେ ହେବେ। ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି କରାଯିବ। ସାଢେ ୨ଟାରେ ବେଶ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ। ଅପରାହ୍ନ ୩ଟାରେ ଚାରମାଳ ଫିଟା, ଘୋଡା ସାରଥୀ ଲାଗିବା ପରେ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ଏନଏସଜି ସ୍ନାଇପରଙ୍କ ସହ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୦ହଜାର ପୋଲିସ। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ନିରାପତ୍ତା ପାଇଁ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦିଆଯାଇଛି।
ଘୋଷଯାତ୍ରା ନୀତିନିର୍ଘଣ୍ଟ: ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଅନୁସାରେ, ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳା ନୀତି ଓ ୬ଟା ୨୦ରେ ମଇଲମ ନୀତି ସମ୍ପନ୍ନ ହୋଇଛି। ସାଢେ ୬ଟାରେ ତଡପ ଲାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି। ସକାଳ ୮ଟାରେ ଖେଚୁଡି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳର୍ପଣ, ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ: ପୃଥିବୀରେ ଶାନ୍ତି-ମୈତ୍ରୀ-ସଂପ୍ରୀତି ଅବ୍ୟାହତ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ରାଷ୍ଟ୍ରପତି