ଅହମ୍ମଦାବାଦ: ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳିରେ କମ୍ପୁଛି ଗାଁଠୁ ସହର । ସବୁଆଡ଼େ ଭକ୍ତିମୟ ପରିବେଶ । ଜଗା ପ୍ରେମରେ ବିଭୋର ଭକ୍ତ । ସେପଟେ ଭକ୍ତଙ୍କୁ ଦେଖିବାକୁ ମନ୍ଦିରରୁ ବାହାରି ଆସିଲେଣି ଚତୁର୍ଦ୍ଧାମୂର୍ତ୍ତି । ଯେଉଁ ଦିନକୁ ବର୍ଷେ ହେବ ଅପେକ୍ଷା କରିଥିଲା ଭକତ, ଆଜି ସେହି ଦିନ ସେହି ମୁହୂର୍ତ୍ତି ଆସିଯାଇଛି । ଆଜି ହେଉଛି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ରଥଯାତ୍ରା । ଗୁଜରାଟ ଗାନ୍ଧୀନଗରସ୍ଥିତ ଅଦାଲଜରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆରମ୍ଭ ହୋଇଛି ।
ଅଦାଲଜ ଜଗନ୍ନାଥ ମନ୍ଦିରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି । ଚକ୍ରବୀର ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା, ଏବଂ ଶେଷରେ ଝୁଲି ଝୁଲି ରଥ ଉପରକୁ ବୀଜେ କରିଥିଲେ କାଳିଆ ସାଆନ୍ତ । ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ଛେରା ପହଁରା ନୀତି ହୋଇଥିଲା ।
ମୁଖ୍ୟ ଅତିଥିଭାବେ ନିମନ୍ତ୍ରିତ ରାଜ୍ୟସଭା ସାଂସଦ ତଥା ଗୁଜରାଟ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନରହରି ଅମିନ ଛେରାପହଁରା ନୀତି କରିଥିଲେ । ସମସ୍ତ ନୀତିକାନ୍ତି ସୂଚାରୁରୂପେ ସମ୍ପନ୍ନ ହେବା ପରେ ମାଉସୀ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିଛି ରଥ । ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କଠାରୁ ଆରମ୍ଭ କରି ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ରଥ ଟାଣିଛନ୍ତି । ଭାବ ଭକ୍ତିରେ ଉଚ୍ଛୁଳି ପଡ଼ିଥିଲା ସାରା ପରିବେଶ । ହରିବୋଲ ହୁଳହୁଳିରେ କମ୍ପିଥିଲା ଗଗନ ପବନ ।
ନିକଟରେ ଥିବା ଦେବୀ ଅନ୍ନପୂର୍ଣ୍ଣା ମନ୍ଦିରକୁ ତିନି ଠାକୁର ଯାତ୍ରା କରିବେ । ସେଠାରେ ଦୁଇ ଘଣ୍ଟା ବିଶ୍ରାମ ପରେ ପୁଣିଥରେ ଜଗନ୍ନାଥ ମନ୍ଦିରକୁ ଚର୍ତୁଦ୍ଧାମୂର୍ତ୍ତି ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପକ୍ଷେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛା ସେବୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସେପଟେ ଅହମଦାବାଦରେ ଆଜି ୧୪୮ତମ ରଥଯାତ୍ରା ଅନୁଷ୍ଠିତ ହେଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମାଲପୁର ମନ୍ଦିରରେ ମଙ୍ଗଳା ଆରତୀ କରିଛନ୍ତି । ତାଙ୍କ ସହିତ ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ଏହା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଳିନ୍ଦ ପୂଜା କରିବେ ଏବଂ ତା'ପରେ ଯାତ୍ରା ଆଗକୁ ବଢ଼ିବ ।
ଅହମ୍ମଦାବାଦ ପୋଲିସ କମିଶନର ଜ୍ଞାନେନ୍ଦ୍ର ସିଂହ ମଲିକ କହିଛନ୍ତି ରଥଯାତ୍ରାରେ ଏଆଇ କ୍ୟାମେରା ଲଗାଯାଇଛି । ୧୫୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ୨୫ଟି ଅତିରିକ୍ତ ୱାଚ୍ ଟାୱାର ନିର୍ମାଣ କରାଯାଇଛି । ୨୪୦ଟି ଉଚ୍ଚ ସ୍ଥାନ ଚିହ୍ନଟ କରାଯାଇଛି । ୪୧ଟି ଡ୍ରୋନ୍ ବ୍ୟବହାର କରାଯାଉଛି। ୧୩୦ଟି ଅତିରିକ୍ତ ସିସି ଟିଭି କ୍ୟାମେରା ଲଗାଯାଇଛି, ଯାହା ମୋଟ ସଂଖ୍ୟା ୩,୫୦୦କୁ ବୃଦ୍ଧି କରିଛି। ୧୫ଟି କ୍ୟୁଆରଟି (କ୍ୱିକ୍ ରେସପନ୍ସ ଟିମ୍) ନିୟୋଜିତ କରାଯାଇଛି। ୧୭ଟି ଜନ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ସେ କହିଛନ୍ତି ଯେ ବିଭିନ୍ନ ରଣନୈତିକ ସ୍ଥାନରେ ଆଠଟି ଛୋଟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।