ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ୩୪୫ ରାଜନୈତିକ ଦଳଗୁଡିକର ପଞ୍ଜିକରଣ ବାତିଲ କରିବା ପ୍ରକ୍ରିୟା ଆରମ୍ଭ କରିଛି । ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡ. ସୁଖବୀର ସିଂ ସନ୍ଧୁ ଏବଂ ଡ. ବିବେକ ଯୋଶୀଙ୍କ ଅଧ୍ୟକ୍ଷତାରେ ଅଣ ଅନୁବନ୍ଧିତ ଏବଂ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପଞ୍ଜିକରଣ ବାତିଲ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାରଣ ଏହି ସବୁ ଦଳଗୁଡିକ ୨୦୧୯ରୁ ଏ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ନିର୍ବାଚନରେ ଭାଗ ନେଇ ନାହାନ୍ତି । ସେମାନଙ୍କ କାର୍ଯ୍ୟକଳାପ ବି ଦେଶରେ କୌଣସି ଠି ବି ଦେଖିବାକୁ ମିଳିନାହିଁ ।
ନିର୍ବାଚନ ଆୟୋଗରୁ ଗୁରୁବାର ମିଳିିଥିବା ସୂଚନା ଅନୁଯାୟୀ, ୩୪୫ ଦଳ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ପଞ୍ଜିକୃତ ୨୮୦୦ରୁ ଅଧିକ ଅଣ ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରୁ ଏମିତି ଅନେକ ଦଳ ରହିଛନ୍ତି, ଯେଉଁମାନେ ପଞ୍ଜିକୃତ କରାଯିବାର ଆବଶ୍ୟକ ସର୍ତ୍ତ ପୂରା କରୁ ନାହାନ୍ତି । ଏମିତିରେ ଦଳ ବିପକ୍ଷରେ ସ୍ୱତନ୍ତ୍ର ଅଭିଯାନ ଚଲାଯାଇ ପଞ୍ଜିକରଣ ବାତିଲ କରାଯାଉଛି ।
ଆୟୋଗ ପ୍ରଥମ ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ୩୪୫ ଏମିତି ଦଳକୁ ଚିହ୍ନଟ କରି ସାରିଛନ୍ତି । ଆୟୋଗଙ୍କ ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କୁ ଏମିତି ଦଳକୁ ଚିହ୍ନଟ କରି ପଞ୍ଜିକରଣ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯାନ ଆଗକୁ ଜାରି ରହିବ । ଜନପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୨୯ଏ ଆଧାରରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି ।