ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ବିଶେଷ କରି ବିଜେପି ପକ୍ଷରୁ କସରତ ଜୋରଦାର ଚାଲିଛି । ଆଗାମୀ ଅଢେଇ ମାସ ପାଇଁ ବିଜେପି ବିହାରରେ ବଡ ଅଭିଯାନ ପାଇଁ ପ୍ରସ୍ତୁତି କରୁଛି । ଆଉ ଏହି ଅଭିଯାନର ନେତୃତ୍ୱ ନେବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାର ବିଜେପିର ଏକ ନେତାଙ୍କ ଅନୁଯାୟୀ, ପିଏମ ମୋଦୀ ଏ ପର୍ଯ୍ୟନ୍ତ ବିହାରରେ ଛଅ ରାଲି କରି ସାରିଛନ୍ତି । ଆଗାମୀ ଦିନରେ ମୋଦୀଙ୍କ ଆହୁରି ରାଲି ଆୟୋଜନ ହେବାର ଅଛି । ଏହା ବ୍ୟତୀତ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ବିହାରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପିଏମ ମୋଦୀଙ୍କ ବିହାରରେ ୯ଟି ରାଲି ଆୟୋଜନର ଯୋଜନା ରହିଛି । ଏହି ରାଲିର ପ୍ରଭାବ ୨୦୦ ବିଧାନସଭା ସିଟ୍ ଉପରେ ପଡିବାର ସମ୍ଭାବନା ରହିଛି । ଏଥିରୁ ମୋଦୀ ରୋହତାସ ଓ ସାରଣ ଅଞ୍ଚଳରେ ଦୁଇଟି ରାଲିକୁ ସମ୍ବୋଧିତ କରି ସାରିଛନ୍ତି । ଅବଶିଷ୍ଟ ସାତ ରାଲି ଆଗାମୀ ଅଢେଇ ମାସରେ ସମ୍ବୋଧିତ କରିବେ । ଏହି ରାଲିର ତାରିଖ ଓ ସ୍ଥାନକୁ ନେଇ ଆଲୋଚନା ଚାଲିଛି । ଆସନ୍ତା ସପ୍ତାହେ ଭିତରେ ଏହାର ଘୋଷଣା ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।
ଇିହା ନିର୍ବାଚନକୁ ନେଇ ପିଏମ ମୋଦୀଙ୍କ ଏହି ଅଭିଯାନ ସେପ୍ଟେମ୍ବରରେ ସରିବ । ଏହି ସମୟରେ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବ । ଏହା ପୂର୍ବରୁ ମୋଦୀଙ୍କ ରାଲି ଆୟୋଜନର ଉଦ୍ଦେଶ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା । ସଂପ୍ରତି ବିଜେପିର କର୍ମକର୍ତ୍ତା ଡୋର ଟୁ ଡୋର ଅଭିଯାନ ଚଳାଇଛନ୍ତି । ଏହାର ଉଦ୍ଦେଶ୍ୟ ନୂଆ ଭୋଟରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପଞ୍ଜୀକରଣରେ ସହାୟତା କରିବା ।