ପୁଣି ବଲାଙ୍ଗିରରୁ କଂଗ୍ରେସକୁ ବଡ଼ ଝଟ୍କା। କଂଗ୍ରେସ ଦଳ ଛାଡ଼ିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ। କାଲି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର କରି ସେ ଦଳ ଛାଡିଥିବା ନେଇ ଘୋଷଣା କରିଛନ୍ତି। ବିଧୁଭୂଷଣ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଦଳରେ ଯେଉଁ କାର୍ୟ୍ୟକର୍ତ୍ତାମାନେ ଲୁହଲହୁ ଦେଇ ଦଳକୁ ଆଗେଇ ନେଉଛନ୍ତି ସେମାନଙ୍କୁ ଅଣଦେଖା କରୁଛି କଂଗ୍ରେସ।
ଏପରିକି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ପକ୍କା ବଲାଙ୍ଗିରିଆ ଭାବେ ନାରା ଦେଉଥିବା ବେଳେ ସାଂସଦ ପ୍ରାର୍ଥୀ ଭାବେ ଜଣେ ବାହାର ବ୍ୟକ୍ତିଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। କଂଗ୍ରେସ ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିଙ୍କ ଦୂର ଦୂର ପର୍ୟ୍ୟନ୍ତ ରାଜନୀତି ସହ କୌଣସି ସଂପର୍କ ନଥିବା ବେଳେ ସେ ବଲାଙ୍ଗିର କିମ୍ବା ସୋନପୁରର ବ୍ୟକ୍ତି ନୁହନ୍ତି। ସେ ସମ୍ବଲପୁରରୁ ଆସି ବଲାଙ୍ଗିରରେ ନିର୍ବାଚନ ଲଢ଼ୁଛନ୍ତି। ଏପରିକି ବଲାଙ୍ଗିରରେ କୌଣସି ବି ଉନ୍ନତିମୂଳକ କାମ ହେଲେ ସମ୍ବଲପୁର ବିରୋଧ କରି ଆସୁଥିବା ବେଳେ ସମ୍ବଲପୁରର ଜଣେ ଅଭିନେତାଙ୍କୁ ସାଂସଦ ଭାବେ ଦଳ ପକ୍ଷରୁ ଟିକେଟ୍ ଦିଆଯିବା ଅତ୍ୟନ୍ତ ପରିତାପର ବିଷୟ। ବଲାଙ୍ଗିରରେ କଂଗ୍ରେସ ଦଳ ଆଉ ଦଳ ହୋଇ ନାହିିଁ, ଏହା ବ୍ୟକ୍ତି କୈନ୍ଦ୍ରିକ ହୋଇ ସାରିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଧୁଭୂଷଣ।