ଦେଶ ସ୍ୱ।ଧିନତାର ଅମୃତ ମହୋତ୍ସବ ପାଳନ କରିସାରିଥିବା ବେଳେ ପିଇବା ପାଣି ବୁନ୍ଦାଏ ପାଇଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ହାଟସାହିରେ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ବାରମ୍ବାର ଗ୍ରାମବାସୀଙ୍କ ବହୁବାର ଗୁହାରି ପରେ ମଧ୍ୟ ଗ୍ରାମ ଲାଗି ପାରୁନି ପାଣି କଳ। ତେଣୁ ଏଥିପାଇଁ ସକାଳୁ ସକାଳୁ ହାଟସାହିର ଶତାଧିକ ମହିଳା ରାଜରାସ୍ତା ଉପରେ ଗରା ଏବଂ ବାଲଟି ରଖି ରାସ୍ତାରୋକ କରିଛନ୍ତି।
ସୂଚନା ଅନୁସାରେ , କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ହାଟସାହିରେ ୧୦୦ରୁ ଉପରେ ପରିବାର ବାସ କରୁଛନ୍ତି। ହେଲେ ଅନେକ ବର୍ଷ ହେଲାଣି ପିଇବା ପାଣି ନଥିବା ବେଳେ ପାଣି ବୁନ୍ଦାଏ ପାଇଁ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି ଶତାଧିକ ଗ୍ରାମବାସୀ। ପାଣି ଟ୍ୟାପ ଲଗାଇବା ସହିତ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଅନେକ ଥର ଗ୍ରାମବାସୀ ପ୍ରଶାସନକୁ ଗୁହାରି ଜଣାଇଥିଲେ ମଧ୍ୟ ସେମାନଙ୍କର ଅଭିଯୋଗକୁ ଅଣଦେଖା କରୁଛି ପ୍ରଶାସନ। ତେଣୁ ଏଥିପାଇଁ କେନ୍ଦୁଝର ରାଜା ରାସ୍ତାର ଟାଙ୍ଗରପଡା ନିକଟରେ ଗ୍ରାମର ମହିଳାମାନେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି। ତେଣୁ ବାଧ୍ୟ ହୋଇ ଗ୍ରାମର ଶତାଧିକ ମହିଳାମାନେ ରାସ୍ତା ଅବରୋଧ କରିଥିଲେ। ଏପରିକି ଯଦି ସେମାନଙ୍କର ଦାବି ପୂରଣ ନ ହୁଏ ତେବେ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି ।