ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଅଙ୍କୋଲି ଠାରେ ମା' କନକ ଦୁର୍ଗା ଠାକୁରାଣୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ହୋଇ ଯାଇଛି। ଏହି ଯାତ୍ରା ଆଗମୀ ମେ ମାସ ୨୯ତାରିଖରୁ ଆରମ୍ଭ ହୋଇ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ମା' ଙ୍କ ସ୍ଥାୟୀ ମନ୍ଦିରରୁ ଆଜ୍ଞାମାଳ ପାଇଲା ପରେ ଅସ୍ଥାୟୀ ମନ୍ଦିରକୁ ମା' ବିଜେ କରିବେ। ଏହାପରେ ମା'ଙ୍କ ଯାତ୍ରା ଧୁମ ଧାମରେ ଦୀର୍ଘ ପନ୍ଦର ଦିନ ଧରି ଚାଲିବ। ଏପରିକି ଏହି ପର୍ବରେ ରାମଦୋଳି ଓ ମୀନା ବଜାର ଆସୁଥିବା ଯୋଗୁଁ ପ୍ରବଳ ଜନଗହଳି ହେବାର ଆଶଙ୍କା ରହିଛି।
ତେବେ ବିଗତ ୨୨ ବର୍ଷ ଧରି ଏହି ଯାତ୍ରା ପାଳିତ ହେଉଅଛି। ପ୍ରତି ତିନି ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ପ୍ରବଳ ଜନଗହଳି ସହ ଭକ୍ତମାନଙ୍କ ଗହଣରେ ଧୁମଧାମରେ ପାଳିତ ହୋଇଥାଏ ଏହି ଯାତ୍ରା। ତେବେ ମା'ଙ୍କ ଶୁଭଖୁଣ୍ଟି ସ୍ଥାପନ ବେଳେ ମୁଖ୍ୟ ପୁରୋହିତ ପୂର୍ଣ୍ଣଚନ୍ଦ୍ର ଦାସ,ସହଯୋଗୀ ରଞ୍ଜନ ସାବତ ଓ ଭାଗିରଥି ଗନ୍ତାୟତଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ଶୁଭ ଖୁଣ୍ଟି ସ୍ଥାପନ ବେଳେ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ସେଠାରେ ଉପସ୍ଥିତ ରହି ମା' କନକ ଦୁର୍ଗାଙ୍କୁ ଆରାଧନା କରିଥିଲେ।